ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା  | News Room Odisha

ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା 

ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍ . ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସୀ ବୈଠକରେ ଅନ୍ୟତମ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ମିହିର ମହାନ୍ତି ବିଭିନ୍ନ ଜିଲ୍ଲାରେ ଆଗାମୀ ନିର୍ବାଚନ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଥିଲେ । ପୁରୀ , ଗଜପତି , ଝାରସୁଗୁଡ଼ା , ମୟୂରଭଞ୍ଜ ଆଦି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଅଭାସୀ ମାଧ୍ୟମରେ ନିଜ ନିଜ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ସବିଶେଷ ତଥ୍ୟ ରଖିଥିଲେ । ଏହି ବୈଠକରେ ମୁଖ୍ୟତଃ ଜିଲ୍ଲାସ୍ତରରେ ଟ୍ରେନିଂ , ପୋଷ୍ଟାଲ ବାଲାଟର ପରିଚାଳନା ଆଦି ବିଷୟରେ ଆଲୋଚନା ହୋଇଥିଲା । ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନେ ଯେପରି ଇଭିଏମ୍ ସମ୍ବନ୍ଧୀୟ ସମସ୍ତ ଟ୍ରେନିଂ ପାଇପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଟ୍ରେନିଂ ପରେ ସମସ୍ତଙ୍କ ସନ୍ଦେହ ମୋଚନ ନିମନ୍ତେ ମଧ୍ଯ ବ୍ୟବସ୍ଥା କରାଯିବ । ପରେ ସେମାନେ ଏକ ସ୍ଵତନ୍ତ୍ର ପରୀକ୍ଷା ଦେବେ । ଏହା ଦ୍ଵାରା ନିର୍ବାଚନ ପରିଚାଳନା ସମ୍ବନ୍ଧରେ ସେମାନେ ସବିଶେଷ ଜ୍ଞାନ ପାଇପାରିବେ ଓ ଉଚିତ ଭାବେ ଦାୟିତ୍ଵ ନିର୍ବାହ କରିପାରିବେ । ବିଭିନ୍ନ ଜିଲ୍ଲା ପକ୍ଷରୁ ଏହି ସମସ୍ତ ବିଷୟ ଉପରେ ଅଧିକାରୀମାନେ ତଥ୍ୟ ରଖିଥିଲେ । ଆଗାମୀ ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ନିମନ୍ତେ ଜିଲ୍ଲାସ୍ତରରୁ ନିର୍ବାଚନର ସୁପରିଚାଳନା ଏବଂ ପ୍ରତିଟି ବୁଥରେ ଯେପରି ଭୋଟରମାନେ ଉପଯୁକ୍ତ ଭାବେ ମତଦାନ କରିପାରିବେ ସେ ଉପରେ ଧ୍ୟାନ କେନ୍ଦ୍ରିତ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଲଗାତାର ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।