ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟିର ଆଜି ପ୍ରଥମ ବୈଠକ | News Room Odisha

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟିର ଆଜି ପ୍ରଥମ ବୈଠକ

ଭୁବନେଶ୍ୱର – ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କରିଥିବା କମିଟିର ପ୍ରଥମ ବୈଠକ ଆଜି ପୁରୀରେ ବସିବ । କମିଟିର ମୁଖ୍ୟ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଜଷ୍ଟିସ ପଶାୟତ ୧୨ ଜଣିଆ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ଅଛନ୍ତି।

କମିଟିର ଅନ୍ୟ ସଦସ୍ୟମାନେ ହେଲେ ଆଲାହାବାଦ୍ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର ଓ ଜଗନ୍ନାଥ କର, ଭଣ୍ଡାର ମେକାପ ସେବକ ଗଣେଶ ମେକାପ । ପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିରର ଉପମୁଖ୍ୟ ପ୍ରଶାସକ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସଦସ୍ୟ ଆବାହକ ଭାବେ କାର୍ଯ୍ୟ କରିବେ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ କେତେ ସୁନା, ରୁପା ଆଦି ମୂଲ୍ୟବାନ ରତ୍ନ ଗଚ୍ଛିତ ରହିଛି ତାହାର ତାଲିକା ପ୍ରସ୍ତୁତ ହେବ। ଓଡ଼ିଶା ହାଇକୋର୍ଟଙ୍କ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ।