ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ : ମେ' ୧୩ରେ ପ୍ରଥମ ଓ ଜୁନ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ | News Room Odisha

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ : ମେ’ ୧୩ରେ ପ୍ରଥମ ଓ ଜୁନ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ – ବାଜିଛି ନିର୍ବାଚନ ବିଗୁଲ। ଲୋକସଭା ଓ ଓଡ଼ିଶା ସମେତ ଚାରି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଓଡ଼ିଶାର ୧୪୭ ବିଧାନସଭା ଆସନରେ ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ହେବ ମତଦାନ । ମେ’ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ମେ’ ୨୦ ତାରିଖରେ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ମତଦାନ ମେ’ ୨୫ ତାରିଖରେ ହେବ । ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଚତୁର୍ଥ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ହେବ । ଏହି ପର୍ଯ୍ୟାୟରେ ମଧ୍ୟ ୪୨ଟି ଆସନରେ ଭୋଟ୍ ନିଆଯିବ । ଓଡ଼ିଶାର ଲୋକସଭା ନିର୍ବାଚନ ମଧ୍ୟ ବିଧାନସଭା ନିର୍ବାଚନ ସହ ହେବ । ଜୁନ ୪ ତାରିଖରେ ହେବ ଭୋଟ ଗଣତି।
ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।

ଏଥର ନିର୍ବାଚନରେ ଓଡିଶାରେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥର ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟର ଅଧିକ ଯୋଡି ହୋଇଛନ୍ତି। ଓଡ଼ିଶାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦।