ଦାମୋଦର ରାଉତ: ୫ ଦଶନ୍ଧିର ସକ୍ରିୟ ଓ ଚର୍ଚ୍ଚିତ ରାଜନୈତିକ ଜୀବନ | News Room Odisha

ଦାମୋଦର ରାଉତ: ୫ ଦଶନ୍ଧିର ସକ୍ରିୟ ଓ ଚର୍ଚ୍ଚିତ ରାଜନୈତିକ ଜୀବନ

ଭୁବନେଶ୍ୱର – ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ଥିଲେ ଡାକ୍ତର ଦାମୋଦର ରାଉତ । ସତୁରୀ ଦଶକର ଶେଷ ଭାଗରୁ ଓଡିଶାର ରାଜନୀତିରେ ସକ୍ରିୟ ଥିଲେ ଦାମୋଦର ରାଉତ। ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର ସଦସ୍ୟ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦାମ ବାବୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅନୁଗତଙ୍କ ମଧ୍ୟରେ ଦାମୋଦର ରାଉତ ଥିଲେ ଅନ୍ୟତମ। ବିଜେଡି ବିଧାୟକ ଭାବେ ନବୀନ ପଟ୍ଟନାୟକଙ୍କ ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ତାଙ୍କୁ ‘ବିଜେଡିର ତୁଣ୍ଡ’ ବୋଲି କୁହାଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା ଓ ପରେ ତାଙ୍କୁ ଦଳରୁ ବିଦା କରାଯାଇଥିଲା ।

ବିଜେଡିରୁ ବିଦା ହେଲା ପରେ ସେ ବିଜେପିରେ ମିଶିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ଲଢିଥିଲେ ମଧ୍ୟ ମାତ୍ର ପରାଜିତ ହୋଇଥିଲେ । ବିଜେପିରେ ସେ ବେଶୀ ଦିନ ତିଷ୍ଠି ପାରିନଥିଲେ । କିଛି ମାସ ତଳେ ବହିଷ୍କାର ଆଦେଶ ପ୍ରତ୍ୟାହାର ପରେ ଦାମୋଦର ରାଉତ ବିଜେଡିକୁ ଫେରିଥିଲେ ।

୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁରରେ ଜନ୍ମ ଲାଭ କରିଥିବା ଦାମ ରାଉତ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ୭ ଥର ନିର୍ବାଚିତ ହୋଇଥିଲେ।