ଖଲ୍ଲିକୋଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର୍: ହାଇଆଲର୍ଟ | News Room Odisha

ଖଲ୍ଲିକୋଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର୍: ହାଇଆଲର୍ଟ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଠାରୁ ଅଳ୍ପ ଦୂରରେ ଏକ ଗ୍ୟାସ୍ ଟ୍ୟାଙ୍କର୍ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ, ପୋଲିସ, ଅଗ୍ନିଶମ ବାହିନୀ ହାଇଆଲର୍ଟରେ ରହିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟ୍ୟାଙ୍କରରେ ଥିବା ଗ୍ୟାସକୁ ଶୀତଳ ରଖିବା ପାଇଁ ତାହା ଉପରେ ଲଗାତର ପାଣି ପକାଉଛନ୍ତି ଦମକଳ ବାହିନୀ। ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଥିଲା ବେଳେ ଲୋକଙ୍କୁ ମଧ୍ୟ କୈାଣସି ଦହନଶୀଳ ସାମଗ୍ରୀ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।

ବ୍ରହ୍ମପୁରରୁ ଖୋର୍ଦ୍ଧା ଯାଉଥିବା ଭାରତ ଗ୍ୟାସ୍ ଟ୍ୟାଙ୍କର୍ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଖଲ୍ଲିକୋଟ ବଡ଼ ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟି ରାସ୍ତାରେ ଏହା ଘଟିଛି। ଡ୍ରାଇଭର୍ ଭୁଲବଶତଃ ଖଲ୍ଲିକୋଟ- ନନ୍ଦଗଡାଣିଆ ରାସ୍ତାକୁ ଗାଡି ବୁଲାଇ ଦେଇଥିଲେ। ଫଳରେ ନିୟନ୍ତ୍ରଣ ହରାଇ ଟ୍ୟାଙ୍କରଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଛି। ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବା ବେଳେ ଖବର ପାଇ ପୋଲିସ ଓ ଦମକଳବାହିନୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆଖପାଖ ଅଞ୍ଚଳର ମଧ୍ୟ ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିକଟସ୍ଥ କାଠଗଡା ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ଖୋର୍ଦ୍ଧା ଓ ବିଶାଖାପାଟଣାରୁ ବିଶେଷଜ୍ଞ ଟିମକୁ ଡକାଯାଇଛି। ସେମାନେ ପହଞ୍ଚିଲେ ସୁରକ୍ଷିତ ସ୍କ ଗ୍ୟାସ୍ ନିଷ୍କାସନ ଏବଂ ପରେ ଟ୍ୟାଙ୍କର୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ।

ପ୍ରକାଶଯୋଗ୍ୟ ଏହି ରାଜପଥରେ ଗ୍ୟାସ୍ ଟ୍ୟାଙ୍କର୍ ଦୁର୍ଘଟଣା ଏକାଧିକ ବାର ଘଟିଲାଣି। ପୂର୍ବରୁ ଛତ୍ରପୁର କଲେଜ ଛକ ଓ ରାଜପଥରେ ଏପରି ଦୁଇ ଥର ଦୁର୍ଘଟଣା ଘଟିଥିଲା।