ନିର୍ବାଚନ କାର୍ଯ୍ୟରେ ନିୟୋଜିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ଦିନ ସାମୟିକ ଛୁଟି ଘୋଷଣା | News Room Odisha

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ଦିନ ସାମୟିକ ଛୁଟି ଘୋଷଣା

ଭୁବନେଶ୍ବର – ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ। ସେମାନଙ୍କୁ କ୍ୟାଲେଣ୍ଡର ବର୍ଷରେ ସାଧାରଣତଃ ଗ୍ରହଣୀୟ ସାମୟିକ ଛୁଟି(କାଜୁଆଲ ଲିଭ୍) ଏବଂ ସ୍ୱତନ୍ତ୍ର ଛୁଟି (ସ୍ପେସାଲ ସିଏଲ) ବ୍ୟତୀତ ଏହି ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବା ପାଇଁ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି । ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କାର୍ଯ୍ୟାଳୟ ମୁଖ୍ୟଙ୍କ ବିଚାର ଓ ନିଷ୍ପତ୍ତି ଆଧାରରେ ଏହି ଛୁଟି ପ୍ରଦାନ କରାଯିବ । ତଦନୁସାରେ ସମସ୍ତ ଅଧସ୍ତନ କାର୍ଯ୍ୟାଳୟଗୁଡିକୁ ମଧ୍ୟ ଅବଗତ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ରାଜ୍ୟର ସମସ୍ତ ରାଜସ୍ୱ ଆୟୁକ୍ତ (ଆରଡିସି) ଏବଂ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅବଗତ କରାଯାଇଛି।

ସେହିପରି ଯେଉଁ ସରକାରୀ କର୍ମଚାରୀମାନଙ୍କୁ ସେମାନେ ଅବସ୍ଥାପିତ ମୁଖ୍ୟାଳୟଠାରୁ ଦୂରସ୍ଥାନରେ ଥିବା ନିଜ ମତଦାନ କେନ୍ଦ୍ରକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିବାର ଅଛି, ସେମାନଙ୍କୁ ପୂର୍ବ ନିର୍ବାଚନ ସମୟରେ ସର୍ବାଧିକ ଦୁଇ ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟିକୁ ଅନୁମତି ପ୍ରଦାନ କରାଯାଇଛି।
ଓଡ଼ିଶାରେ ମେ’ ୧୩, ମେ’୨୦,ମେ’ ୨୫ ଓ ଜୁନ ୧ ତାରିଖରେ ଭୋଟ୍ ଗ୍ରହଣ ହେବ । ମତଦାନ ଦିନ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି।

କିନ୍ତୁ ସରକାରୀ କର୍ମଚାରୀ, ଯେଉଁମାନେ ସେମାନଙ୍କ ମତଦାନ କେନ୍ଦ୍ରଠାରୁ ଦୂରରେ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି, ସେମାନଙ୍କୁ ଭୋଟ୍ ଦେବା ପାଇଁ ସେଠାକୁ ଯିବାକୁ ପଡୁଥିବାରୁ ଉପରୋକ୍ତ ଦିବସଗୁଡିକରେ କର୍ମଚାରୀମାନଙ୍କୁ ଆବଶ୍ୟକ ସ୍ଥଳେ ଦୁଇ ଦିନ (ମତଦାନର ପୂର୍ବ ଦିନ ଏବଂ ମତଦାନ ପରବର୍ତ୍ତୀ ଦିନ) ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି ଅନୁମତି ପ୍ରଦାନ କରାଯିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି।

ଯେଉଁ କର୍ମଚାରୀମାନେ କାର୍ଯ୍ୟରତ ମୁଖ୍ୟାଳୟଠାରୁ ଦୂରରେ ଥିବା ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି, କିନ୍ତୁ ସେଦିନ ସେମାନଙ୍କର କାର୍ଯ୍ୟାଳୟ ଥିବା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉ ନ ଥିବାରୁ ଛୁଟି ପାଉନାହାଁନ୍ତି, ସେମାନଙ୍କୁ ମତଦାନ ପରବର୍ତ୍ତୀ ଦିନ ଆଉ ଗୋଟିଏ ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି ପ୍ରଦାନ କରାଯିବ। ମଞ୍ଜୁର ହେବାକୁ ଥିବା ଛୁଟିଗୁଡିକୁ ସ୍ୱତନ୍ତ୍ର ସାମୟିକ ଛୁଟି ଭାବରେ ବିବେଚନା କରାଯିବ, ଯାହା କ୍ୟାଲେଣ୍ଡର ବର୍ଷରେ ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣତଃ ଗ୍ରହଣୀୟ ୧୫ ଦିନର କାଜୁଆଲ ଛୁଟି ଏବଂ ସ୍ପେଶାଲ କାଜୁଆଲ ଛୁଟିର ସମୁଦାୟ ଅବଧିକୁ ହିସାବରେ ବିଚାରକୁ ନିଆଯିବ ନାହିଁ।