କାରରୁ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ବିନିକା ପୋଲିସ | News Room Odisha

କାରରୁ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ବିନିକା ପୋଲିସ

ସୋନପୁର – ଯାଞ୍ଚ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏକ କାର୍ ଯାଞ୍ଚ ବେଳେ ପୋଲିସ ନଗଦ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଏହି ଟଙ୍କା ଓଡ଼ିଶା ବାଟ ଦେଇ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଯାଉଥିଲା । ତେବେ ଏତେ ପରିମାଣର ଟଙ୍କା କେଉଁ ଉଦ୍ଦେଶ୍ୟରେ ଯାଉଥିଲା, ତାହା ଜଣାପଡ଼ିନାହିଁ। ପୋଲିସ ପକ୍ଷରୁ ଏ ବାବାଦରେ ତଦନ୍ତ ଜାରି ରହିଛି।

ବିନିକା ଥାନା ପୋଲିସ ସହରର କଲେଜ ଛକରେ ପ୍ରାକ୍ ନିର୍ବାଚନ ନାକାବନ୍ଦି କରି ପାଟ୍ରୋଲିଂ କରୁଥିଲା। ସେହି ସମୟରେ ଆନ୍ଧ୍ରପ୍ରଦେଶ ନମ୍ୱର ଥିବା ଏକ ଇନୋଭା କାରକୁ ଅଟକାଇ ଯାଞ୍ଚ କରିଥିଲା ପାଟ୍ରୋଲିଂ ପାର୍ଟି । ଯାଞ୍ଚ ବେଳେ ପୋଲିସକୁ ୫୫ ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା। କାର୍‌ ଭିତରେ ଥିବା ଲୋକଙ୍କୁ ଟଙ୍କା ବିଷୟରେ ପଚାରିଥିଲା ପୋଲିସ । ମାତ୍ର ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପୋଲିସ ଜବତ ଟଙ୍କାକୁ ବ୍ୟାଙ୍କରେ ଜମା କରିଛି । ଜବତ ଟଙ୍କା ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାକୁ ଯାଉଥିଲା।