ସଞ୍ଜୟ ସିଂହଙ୍କ ଅଭିଯୋଗ: ତିହାର ଜେଲରେ କେଜ୍ରିୱାଲଙ୍କୁ ପରିବାର ଲୋକଙ୍କ ସହ ଭେଟିବାକୁ ଅନୁମତି ଦିଆଯାଉ ନାହିଁ | News Room Odisha

ସଞ୍ଜୟ ସିଂହଙ୍କ ଅଭିଯୋଗ: ତିହାର ଜେଲରେ କେଜ୍ରିୱାଲଙ୍କୁ ପରିବାର ଲୋକଙ୍କ ସହ ଭେଟିବାକୁ ଅନୁମତି ଦିଆଯାଉ ନାହିଁ

ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ‌ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିବାକୁ ଦିଆଯାଉ ନାହିଁ ବୋଲି ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ଶନିବାର ଅଭିଯୋଗ କରିଛନ୍ତି ।

ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ତାଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ଅନୁମତି ଦିଆଯାଉ ନାହିଁ। ତାଙ୍କ ପରିବାରକୁ କେବଳ ଏକ ‘ମୁଲାକାତ ଜାଙ୍ଗଲା’ ଜରିଆରେ କେଜ୍ରିୱାଲଙ୍କୁ ସାକ୍ଷାତ କରିବାକୁ ଦିଆଯାଉଛି।

ସିଂହ କହିଛନ୍ତି, “ଏହା ଅମାନବୀୟ। ଏପରିକି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନୁମତି ଦିଆଯାଉଥିବା ବେଳେ କେଜ୍ରିୱାଲଙ୍କୁ ଏହି ସୁବିଧା ମିଳୁନି।

‘ମୁଲାକାତ ଜାଙ୍ଗଲା’ ହେଉଛି ଏକ ଲୁହା ଜାଲି ଯାହା ଜରିଆରେ ଜେଲ କୋଠରୀରେ ବନ୍ଦୀ କଏଦୀ ସହ ତାଙ୍କୁ ଭେଟିବାକୁ ଆସୁଥିବା ଲୋକ କଥାବାର୍ତ୍ତା କରିପାରିବେ |

ସଞ୍ଜୟ ସିଂହଙ୍କ ଅଭିଯୋଗ ସମ୍ପର୍କରେ ତିହାର ଜେଲ୍ ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇନାହିଁ। ଶୁକ୍ରବାର ଜେଲ କର୍ତ୍ତୃପକ୍ଷ କେଜ୍ରିୱାଲଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ସାକ୍ଷାତ ତାରିଖ ଭାବେ ଏପ୍ରିଲ ୧୫ ସ୍ଥିର କରିଥିଲେ। ଜେଲ ପ୍ରଶାସନ କହିଛି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ପରିଦର୍ଶକ ଭାବେ ‘ମୁଲାକାତ ଜାଙ୍ଗଲା’ ମାଧ୍ୟମରେ ଆପ୍ ଆବାହକଙ୍କୁ ଭେଟି ପାରିବେ।

ତିହାର ଜେଲ ଭିତରେ ମଙ୍ଗଳବାର କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ବ୍ୟକ୍ତିଗତ ସଚିବ ବିବେକ କୁମାରଙ୍କୁ ଭେଟିଥିଲେ।