ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ ହେବ ସବୁଠି ହୋଇ ଆସୁଥିବା ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ ଦଣ୍ଡ ନାଚ ଆସନ୍ତା କାଲି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ (ଝାମୁ) ମେରୁ ଯାତ୍ରା ସହ ଚଳିତ ବର୍ଷ ପାଇଁ ବିଧିବଦ୍ଧ ଭାବେ ଉଦଯାପିତ ହେବ।
ମଧ୍ୟାହ୍ନରେ ତତଲା କିରଣ ଢାଳୁଥିବା ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ରତାପକୁ ସହି ନିଜ ଶରୀରକୁ ଧୂଳିଧୂସରିତ କରି ମାଟି ଉପରେ ବେଶ୍ କିଛି ସମୟ ଶୋଇ ରହି ଧୂଳି ଦଣ୍ଡ ପରିବେଷଣ କରିଥାନ୍ତି ଦଣ୍ଡୁଆ ବା ଭୁକ୍ତା। ତା ପରେ ପୋଖରୀ ପାଣିରେ ପଶି ପାଣି ଦଣ୍ଡ ଏବଂ ଅଗ୍ନି ଦଣ୍ଡ କରିଥାନ୍ତି ଭୁକ୍ତାଗଣ। ଏ ତ ଗଲା ଶରୀରକୁ କଠୋର କଷ୍ଟ ଦେଇ ସାଧନା କରିବାର କଥା। ଏଥିସହ ଦିନକୁ କେବଳ ଗୋଟିଏ ଥର ତାହା ପୁଣି ମଧ୍ୟରାତ୍ରରେ ଖାଦ୍ୟ ଗ୍ରହଣ କରନ୍ତି।ସାଥିରେ ଧରିଥିବା ଅଲିଭା ଅଗ୍ନି ଗଦିରୁ ଚୁଲି ଜଳିବ। ଫଳମୂଳ ନା କଟା ହେବ ନା କୌଣସି ମସଲା ବା ଅନ୍ୟ ବ୍ୟଞ୍ଜନ ବଟା ହେବ ତାହା ପାଣିରେ ପଡ଼ି ସିଝାଇ ତିଆରି ହେବ। ସେହି ଖାଦ୍ୟକୁ ବିନା ପାଟିତୁଣ୍ଡରେ ଅର୍ଥାତ୍ ନିରବ ପରିବେଶରେ ଗ୍ରହଣ କରିବେ ଭୁକ୍ତା। ଭୋଜନ, ଶୟନ, ବିଚରଣ ସବୁ କିଛି ଧରାବନ୍ଧା ନିୟମ ମଧ୍ୟରେ ହଁ ସମ୍ପନ୍ନ କରିବାକୁ ହୁଏ। ଖୋଲା ପଡ଼ିଆ, ଗ୍ରାମ/ବସତି ବାହାରେ, ନିକାଞ୍ଚନ ଜାଗାରେ ରହିଥାନ୍ତି ଦଣ୍ଡୁଆ । ନାରୀ ସଙ୍ଗ, ମୈଥୁନ, ଆମିଷ ଆଦି ଭୁକ୍ତା ଓ ମାନସିକଧାରୀଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ ଥାଏ। ମୋକ୍ଷପ୍ରାପ୍ତି ପାଇଁ ଦୈବୀ ଆରାଧନାରେ ନିଜକୁ ସମର୍ପିତ କରିଥାନ୍ତି ସେମାନେ। ନିଷ୍ଠାପର ଭାବେ ଏତିକି ଦିନ ବିତାଉଥିବାରୁ ଯାତ୍ରା ବେଳେ କୌଣସି ଛୁଆଁଅଛୁଆଁ, ମୃତ୍ୟୁ ବା ଜନ୍ମଜନିତ କଟକଣା ଏମାନଙ୍କ ଉପରେ ଲାଗୁ ହୁଏନି।ଦଣ୍ଡୁଆମାନଙ୍କ ହାତରେ ଥିବା ଦଣ୍ଡ ଓ ମୟୁର ପୁଞ୍ଛରେ ପିଲାମାନେ ଝାଡ଼ି ହେଲେ ରୋଗ ଓ ପାପରୁ ମୁକ୍ତି ମିଳେ ବୋଲି ବିଶ୍ଵାସ ରହିଛି।
ମାନବକୁ ଆଧ୍ୟାତ୍ମିକତା ସହ ଯୋଡୁଥିବା ଶିବ ଓ ଶକ୍ତିଙ୍କ ଉପାସନା ସହ ଜଡ଼ିତ ଦଣ୍ଡ ଯାତ୍ରା ବା ଦଣ୍ଡ ନାଚ ଗଞ୍ଜାମ ଜିଲ୍ଲାରେ ବେଶ୍ ଲୋକପ୍ରିୟ। କନ୍ଧମାଳ, ନୟାଗଡ଼, ଗଜପତି ଭଳି ଅଳ୍ପ କିଛି ଜିଲ୍ଲାରେ ପ୍ରଚଳିତ ଦଣ୍ଡ ନାଚ ତୁଳନାରେ ଗଞ୍ଜାମ ଜିଲ୍ଲାର ଦଣ୍ଡ ଯାତ୍ରା ସାରା ଓଡ଼ିଶାରେ ଅନନ୍ୟ। ଗଞ୍ଜାମ ଜିଲ୍ଲାର ଜନମାନସ ସହ ଗଭୀର ଭାବେ ଜଡ଼ିତ ଦଣ୍ଡ ଯାତ୍ରାରେ ସାମିଲ ହେବାକୁ ଯିଏ ଯେଉଁଠି ଥିଲେ ମଧ୍ୟ ନିଜ ଗାଁକୁ ଫେରି ଆସନ୍ତି। ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗରର ଗାଲେରୀ ଦଣ୍ଡ ଯାତ୍ରା ଓ ଶେରଗଡର କୁଲାଡ଼ ଦଣ୍ଡ ନାଚ ନିଜ ବୃହତ୍ ଆକାର (ସହସ୍ରାଧିକ ଦଣ୍ଡୁଆ ସାମିଲ ହୁଅନ୍ତି) ପାଇଁ ପ୍ରସିଦ୍ଧ। ପୌରାଣିକ ବିଶ୍ୱାସ ମୁତାବକ ଏକଦା ୧୩ ଜଣ ଅଭିଶପ୍ତ ଋଷିପୁତ୍ର କଳି ଯୁଗରେ ପୃଥିବୀପୃଷ୍ଠରେ ଜନ୍ମ ନେଇଥିଲେ। ମୋକ୍ଷପ୍ରାପ୍ତି ପାଇଁ ସେମାନେ ସନ୍ନ୍ୟାସୀତୁଲ୍ୟ ୧୩ ଦିନରାତି ଶରୀରକୁ କଷ୍ଟ ଦେଇ ନିଷ୍ଠାପୂର୍ବକ ସାଧନା କରିଥିଲେ। ଏଥିରୁ ସୃଷ୍ଟି ହୋଇଥିଲା କାମନା ଦଣ୍ଡ। ଅପରପକ୍ଷରେ ଲୋକ ସଂସ୍କୃତି ଗବେଷକଙ୍କ ମତରେ ଏହା ବିଶ୍ଵର ଏକମାତ୍ର ଲୋକନୃତ୍ୟ ଯାହା ୧୬ଟି ବ୍ୟବସ୍ଥାକୁ ନେଇ ଗତିଶୀଳ। ରାଜ୍ୟର ଅନ୍ୟତ୍ର ଦଣ୍ଡ ନାଚରେ ମନୋରଞ୍ଜନ ଓ ଶରୀରର କିଛିଟା ଭାବଭଙ୍ଗୀକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଗଞ୍ଜାମ ଦଣ୍ଡ ଯାତ୍ରାର ବିଶେଷତ୍ୱ ହେଉଛି ଅଗ୍ନିଶମ ଜଳି ନିଜ ଶରୀରକୁ କଷ୍ଟ ଦେଇ ଶୁଦ୍ଧପୁତ ହେବା। ଦଣ୍ଡ ନାଚରେ ପ୍ରତ୍ୟହ ପାଳିତ ହୁଏ ୧୬ଟି ବିଧି ବା ଦଣ୍ଡ। ଏହାହିଁ ହଜାର ହଜାର ବର୍ଷର ବିଧି ମଧ୍ୟରେ ସମାହିତ।
ଦଣ୍ଡୁଆ ଦଳ ସହ ସର୍ବଦା ଥାଏ ଶକ୍ତିଙ୍କ ପ୍ରତୀକ ପ୍ରଭା ଓ ମହାଦେବଙ୍କ ମୂର୍ତ୍ତି। ପାଳ ଗୁଡ଼ାଇ ଗୁଡ଼ାଇ ତିଆରି କରାଯାଇଥାଏ ଗଦି, ଯେଉଁଥିରେ ଦଣ୍ଡ ନାଚ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ନି ସର୍ବଦା ପ୍ରଜ୍ଜ୍ବଳିତ ରହିଥାଏ। ସମ୍ପୂର୍ଣ୍ଣ ଶୟନ ନିଷେଧ ଥିବାରୁ ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଦଣ୍ଡୁଆଙ୍କୁ ନୃତ୍ୟ ଜରିଆରେ ଭଗବାନଙ୍କ ବିଭିନ୍ନ ଆଖ୍ୟାନ ଶୁଣାଯାଏ। ସେଥିପାଇଁ ଦଣ୍ଡ ଯାତ୍ରାରେ ପରିବେଷିତ ହୁଏ ପାରମ୍ପରିକ ଚଢ଼େୟା- ଚଢ଼େୟାଣୀ, ନଟ- ନଟୀ, ଶବର- ଶବରୁଣୀ, ଧୋବା- ଧୋବଣୀ, କେଳା- କେଳୁଣୀଙ୍କ ନାଟ। ପାହାନ୍ତା ପ୍ରହରରେ ବୀଣାକାର ବିଭିନ୍ନ ଦଣ୍ଡ ସୁଆଙ୍ଗ (ଗୀତ) ଶୁଣାଇଥାନ୍ତି। ତେବେ ଆଜିକାଲି ଆଧୁନିକତାର ପ୍ରଭାବ ଦଣ୍ଡ ନାଚକୁ କଳୁଷିତ କରୁଥିବା ଅଭିଯୋଗ ହେଉଛି। ରାତିରେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଆଧୁନିକ ନୃତ୍ୟ ଓ ଅପେରା ପରିବେଷଣ ଏହାର ଏକ ନଜିର। ତଥାପି ଶହ ଶହ ବର୍ଷ ପୁରାତନ ପରମ୍ପରା ଅତୁଟ ରହିଛି।