ଇସ୍ରାଏଲ ଲିଙ୍କ୍ ଥିବା ଜାହାଜକୁ ଜବତ କଲା ଇରାନ ସେନା, ଜାହାଜରେ ଅଛନ୍ତି ୧୭ ଭାରତୀୟ | News Room Odisha

ଇସ୍ରାଏଲ ଲିଙ୍କ୍ ଥିବା ଜାହାଜକୁ ଜବତ କଲା ଇରାନ ସେନା, ଜାହାଜରେ ଅଛନ୍ତି ୧୭ ଭାରତୀୟ

ତେଲ ଅଭିଭ୍: ଇସ୍ରାଏଲ ଲିଙ୍କ୍ ଥିବା ଏକ ଜାହାଜକୁ ଇରାନର ନୌସେନା ଜବତ କରିନେଇଥିବା ଖବର ସାମ୍ନାକୁ ଆସିଛି। ତେବେ ବଡ଼ କଥା ହେଉଛି ୟୁଏଇରୁ ଆସୁଥିବା ଏହି ଜାହାଜରେ ୧୭ ଜଣ ଭାରତୀୟ ନାଗରିକ ଅଛନ୍ତି । ଏମ୍ଏସସି ଏରିଜ୍ ନାମକ ଏହି ଜାହାଜ ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦରକୁ ଆସୁଥିଲା | ଜାହାଜଟି ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯାଉଥିବାବେଳେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) କମାଣ୍ଡୋ ହେଲିକପ୍ଟର ଦ୍ଵାରା ଓହ୍ଲାଇ ଜାହାଜକୁ କବଜା କରିନେଇଥିଲେ। ଜାହାଜରେ ଥିବା ସମସ୍ତ ଭାରତୀୟଙ୍କ ମୁକ୍ତି ପାଇଁ କୂଟନୈତିକ ସ୍ତରରେ ଇରାନ ସରକାରଙ୍କ ସହ ଯୋଗାଯୋଗ କରାଯାଉଛି ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ ସୂତ୍ର ପ୍ରକାଶ କରିଛନ୍ତି।

ମିଡ଼ିଆ ରିପୋର୍ଟ ମୁତାବକ, ଲଣ୍ଡନ କମ୍ପାନୀ ‘ଜୋଡିୟାକ୍ ମାରିଟାଇମ’ ମାଲିକାନାରେ ଥିବା ଏହି ଜାହାଜରେ ପର୍ତ୍ତୁଗାଲର ପତାକା ଲାଗିଥିଲା। ଜୋଡିୟାକ୍ ଗ୍ରୁପ୍ ହେଉଛି ଇସ୍ରାଏଲର କୋଟିପତି ଉଦ୍ୟୋଗୀ ଇୟାର ଓଫରଙ୍କର | ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ହେଲିକପ୍ଟରରୁ ସଶସ୍ତ୍ର କମାଣ୍ଡୋ ଜାହାଜରେ ଅବତରଣ କରୁଛନ୍ତି। ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ ଏ‌ହି ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୧ରେ ସିରିଆର ରାଜଧାନୀ ଦମାସକସ ସ୍ଥିତ ଇରାନର ବାଣିଜ୍ୟିକ ଦୂତାବାସ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର ବରିଷ୍ଠ କମାଣ୍ଡର ଜେନେରାଲ ମହମ୍ମଦ ରେଜା ଜହେଦୀଙ୍କ ସମେତ ୭ ଜଣ ଇରାନ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିଲା ଇରାନ । ଇସ୍ରାଏଲ୍ ଏହାର ପରିଣାମ ଭୋଗିବ ବୋଲି ଧମକ ଦେଇଥିଲା‌ ଇରାନ ।