ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ଈର୍ଷାନ୍ବିତ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରୀ ବୁଣାକାରଙ୍କୁ ଦେଇଛନ୍ତି ଅପମାନ : ବିଜେଡି | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ଈର୍ଷାନ୍ବିତ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରୀ ବୁଣାକାରଙ୍କୁ ଦେଇଛନ୍ତି ଅପମାନ : ବିଜେଡି

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇ ନାହାନ୍ତି , କିଛି ଲୋକଙ୍କ ବଦହଜମୀ ଆରମ୍ଭ ହୋଇଗଲାଣି । ଯୋଡି ଶଙ୍ଖ ଭିଡିଓ ଦେଖି ରାତିର ନିଦ ହଜିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖର ଭିଡିଓ ଏତେ ଲୋକପ୍ରିୟ ହେଲା ଯେ , ଇନଷ୍ଟାଗ୍ରାମରେ ସବୁ ରେକର୍ଡ କାଟିଦେଲା । ୨୪ ଘଣ୍ଟାରୁ କମ୍ ସମୟରେ ୪ ନିୟୁତ ଲୋକ ଏହି ଭିଡିଓ ଦେଖାସାରିଲେଣି । ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟତା ହିଁ ବିରୋଧୀ ଦଳର ନେତା ଖାସ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଈର୍ଷାନ୍ବିତ କରିଦେଇଛି ବୋଲି ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ଵୟଂ ପ୍ରକାଶ ମହାପାତ୍ର କହିଛନ୍ତି । ଆଜି ଗଣମାଧ୍ୟମକୁ ଦୁଇ ମୁଖପାତ୍ର କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ କ’ଣ କହୁଛନ୍ତି ଆଉ କ’ଣ କରୁଛନ୍ତି ତାହା ଜାଣି ପାରୁନାହାନ୍ତି । ଈର୍ଷା ଏବଂ କ୍ରୋଧରେ ନିଜର ହିତାହିତ ଜ୍ଞାନ ହରାଇ ସେ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି । ଏଭଳି କରି ସେ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଅପମାନିତ କରିଛନ୍ତି । ଲକ୍ଷ ଲକ୍ଷ ବୁଣାକାର , ଯେଉଁମାନେ ଏହାକୁ ତିଆରି କରିଛନ୍ତି , ଓଡିଶାର ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଏହାକୁ ପିନ୍ଧୁଛନ୍ତି , ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଅପମାନିତ କରିଛନ୍ତି ।

ରାଜ୍ୟରେ ବୁଣାକାରମାନଙ୍କର ଏକ ସଶକ୍ତ ଅର୍ଥନୀତି ରହିଛି , ସେମାନଙ୍କର ଉତ୍ପାଦ ବେଶ୍ ଲୋକପ୍ରିୟ ଯାହାର ବେଶ୍ ଚାହିଦା ମଧ୍ୟ ରହିଛି । ଏହି ସଶକ୍ତ ଅର୍ଥନୀତି ଉପରେ ଆଘାତ ଦେବାକୁ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ କରିଛନ୍ତି | ସାରା ଓଡିଶାରେ ଖାସ୍ କରି ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ଆଜି ବି ଲୁଙ୍ଗି ପିନ୍ଧନ୍ତି । ସେହି ଲୁଙ୍ଗିକୁ ଓଡିଶାର ବୁଣାକାର ମାନେ ତିଆରି କରନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ଲୁଙ୍ଗି ପିନ୍ଧିଥିଲେ ତାହା ହେଉଛି ସମ୍ବଲପୁରୀ ଲୁଙ୍ଗି । ଯାହା ପଛରେ ଅନେକ ବୁଣାକାରଙ୍କ ପରିଶ୍ରମ ଥିଲା । କେନ୍ଦ୍ରମନ୍ତ୍ରୀ ପ୍ରଧାନ ଓଡିଶା ବାହାରେ ବହୁ ବର୍ଷ ଧରି ରହିଛନ୍ତି ।

ଉତ୍ତରପ୍ରଦେଶ , ବିହାର , ମଧ୍ୟପ୍ରଦେଶରେ ଅନେକ ସମୟ ତାଙ୍କର କଟିଛି । ସେଥିପାଇଁ ଓଡିଶାର ପରମ୍ପରା , ସଂସ୍କୃତି ଏବଂ ଅର୍ଥନୀତିକୁ ବୁଣାକାର ଭାଇ ଭଉଣୀଙ୍କ ଅବଦାନକୁ ସେ ଭୁଲି ଯାଇଛନ୍ତି । ଲକ୍ଷ ଲକ୍ଷ ବୁଣାକାରଙ୍କ ପାଖରେ , ଓଡିଶାବାସୀଙ୍କ ପାଖରେ ଖାସ୍ କରି ସମ୍ବଲପୁରବାସୀଙ୍କ ପାଖରେ ସେମାନଙ୍କର ପରମ୍ପରାକୁ ଅପମାନିତ କରିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି।