ଛତ୍ରପୁରର ଶତାଧିକ ବିଜେପି ନେତା ଓ କର୍ମୀଙ୍କ ବିଜେଡିରେ ଯୋଗଦାନ | News Room Odisha

ଛତ୍ରପୁରର ଶତାଧିକ ବିଜେପି ନେତା ଓ କର୍ମୀଙ୍କ ବିଜେଡିରେ ଯୋଗଦାନ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ନେତା ଓ କର୍ମୀ ଏବେ ବିଜେଡିରେ ଯୋଗ ଦେଇଛନ୍ତି। ମଙ୍ଗଳବାର ନାମାଙ୍କନ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରପୁର ଗସ୍ତ ଓ ବୁଧବାର ୫ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଛତ୍ରପୁରରେ ଜନସମାବେଶ ପୂର୍ବରୁ ଏହି ଘଟଣା ବିଜେଡିର ଶକ୍ତି ଓ ସମ୍ବଳକୁ ଅଧିକ ବୃଦ୍ଧି ଓ ବ୍ୟାପକ କରିଛି। ରାଜ୍ୟ ସଭା ସାଂସଦ ଡ. ସସ୍ମିତ ପାତ୍ର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ଏହି ନେତା ଓ କର୍ମୀମାନେ ପଦ୍ମ ଦଳକୁ ଛାଡ଼ି ବିଜେଡି ସଦସ୍ୟତା ଗ୍ରହଣ କରିଛନ୍ତି। ସେମାନଙ୍କୁ ବିଜେଡିର ଉଭୟ ବରିଷ୍ଠ ନେତା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ଶତାଧିକ ନେତା ଓ କର୍ମୀ ବିଜେଡିରେ ମିଶିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଥିବା କହିଛନ୍ତି ଉପରୋକ୍ତ ନେତା ଓ କର୍ମୀ। ସେପଟେ ଏହାଦ୍ୱାରା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ଡ. ପାତ୍ର ଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।