ନାମାଙ୍କନ ଦାଖଲ ପୂର୍ବରୁ ମା' ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ | News Room Odisha

ନାମାଙ୍କନ ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର – ଆଗାମୀ ବିଧାନସଭା ନିର୍ବାଚନ ପାଇଁ ହିଞ୍ଜିଳି ଆସନରୁ ନାମାଙ୍କନ ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠ ପରିଦର୍ଶନ କରିଛନ୍ତି। ମା’ଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ତାରାତାରିଣୀ ପୀଠ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ସେ ସିଧାସଳଖ ମା’ ତାରାତାରିଣୀଙ୍କ ମନ୍ଦିର ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଥିଲେ । ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏଥର ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଆସନରୁ ବି ନିର୍ବାଚନ ଲଢ଼ିବେ ।