ଭୀଷଣ ଗ୍ରୀଷ୍ମ ତାତିରେ ଜଳୁଛି ଓଡ଼ିଶା : ବାରିପଦା, ବାଲେଶ୍ୱରରେ ୪୬ ଛୁଇଁଲା ପାରା, ୧୫ ସହରରେ ତାପମାତ୍ରା ୪୪ ଡିଗ୍ରୀ ବା ଅଧିକ | News Room Odisha

ଭୀଷଣ ଗ୍ରୀଷ୍ମ ତାତିରେ ଜଳୁଛି ଓଡ଼ିଶା : ବାରିପଦା, ବାଲେଶ୍ୱରରେ ୪୬ ଛୁଇଁଲା ପାରା, ୧୫ ସହରରେ ତାପମାତ୍ରା ୪୪ ଡିଗ୍ରୀ ବା ଅଧିକ

ଭୁବନେଶ୍ୱର – ଆଜି ରାଜ୍ୟରେ ଭୀଷଣ ତାତି ଅନୁଭବ ହୋଇଛି । ଆକାଶରୁ ନିଆଁ ବର୍ଷିଛି । ବାରିପଦା , ବାଲେଶ୍ଵର ଓ ଭୁବନେଶ୍ୱରରେ ତ ରେକର୍ଡ ତାତି । ଆଜି ୧୫ଟି ସହରରେ ୪୪ ଡିଗ୍ରୀ ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ୨୯ ସହରରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରହିଛି। ବାରିପଦାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରାରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି।

ବାରିପଦା ଓ ବାଲେଶ୍ଵରରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଛୁଇଁଛି। ୪୬ ଦଶମିକ ୪ ଡିଗ୍ରୀ ସହ ବାରିପଦା ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଆଜି ବାରିପଦାରେ ସର୍ବୋଚ୍ଚ ଦିନ ତାପମାତ୍ରା ଥିଲା ୪୬ ଦଶମିକ ୪ ଡିଗ୍ରୀ ସେଲସିୟସ, ଯାହା କି ଏପ୍ରିଲ ମାସରେ ସହରରେ ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ରେକର୍ଡ। ଏହା ପୂର୍ବରୁ ୨୧ ଏପ୍ରିଲ ୨୦୧୦ରେ ବାରିପଦାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେହି ରେକର୍ଡ ଆଜି ଭଙ୍ଗ ହୋଇଛି। ଆଜି ବାଲେଶ୍ଵରର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରହିଛି । ରାଜ୍ୟର ଆଜି ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି ବାଲେଶ୍ଵର। ରାଜଧାନୀ ଭୁବନେଶ୍ଵର ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଥିଲା ୪୫ ଦଶମିକ ୪ ଡିଗ୍ରୀ ସେଲସିୟସ। ଆଜି ରାଜଧାନୀ ଭୁବନେଶ୍ବରରେ ଚଳିତବର୍ଷ ପ୍ରଥମ ଥର ପାଇଁ ପାରଦ ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଭୁବନେଶ୍ୱରର ତାପମାତ୍ରା ଆଜି ୪୫ ଦଶମିକ ୪ ଡିଗ୍ରୀ ସେଲସିୟସ ଥିଲା, ଯାହାକି ଏପ୍ରିଲ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା। ପୂର୍ବରୁ ୧୧ ଏପ୍ରିଲ ୨୦୧୬ରେ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା,ଯାହାକି ଏପ୍ରିଲ ମାସର ଭୁବନେଶ୍ୱରରେ ସର୍ବକାଳୀନ ରେକର୍ଡ ।

ଅନୁଗୁଳରେ ଆଜି ୪୪.୭, ତାଳଚେରରେ ୪୪.୫,ଢେଙ୍କାନାଳ ଓ ଯାଜପୁରରେ ୪୪.୫, ବୌଦ୍ଧରେ ୪୪.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।