କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ବ୍ୟତିକ୍ରମ ନୁହେଁ: ସୁପ୍ରିମକୋର୍ଟ | News Room Odisha

କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ବ୍ୟତିକ୍ରମ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ବ୍ୟତିକ୍ରମ ନୁହେଁ ବୋଲି କହିଛନ୍ତିି ସୁପ୍ରିମକୋର୍ଟ। ତେବେ କୋର୍ଟ ରାୟର ‘ସମାଲୋଚନା ମୂଳକ ସମୀକ୍ଷା’ ସ୍ୱାଗତଯୋଗ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିି। କେଜ୍ରିୱାଲଙ୍କୁ ଜାମିନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଓକିଲ ଉଲ୍ଲେଖ କରିବା ପରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତିି।

ଗତକାଲି ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ବେଳେ ଅମିତ ଶାହ କହିଥିଲେ ଯେ, କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସୁପ୍ରିମକୋର୍ଟଙ୍କ ନିୟମିତ ରାୟ ନୁହେଁ। ଦେଶର ଅନେକ ଲୋକ କହୁଛନ୍ତି ଯେ କେଜ୍ରିୱାଲଙ୍କୁ ‘ସ୍ପେଶାଲ ଟ୍ରିଟମେଣ୍ଟ’ ଦିଆଯାଇଛି।”

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ନେଇ ଦିଆଯାଇଥିବା କିଛି ବୟାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେଜ୍ରିୱାଲଙ୍କ ଓକିଲଙ୍କ ଦାବିକୁ ବିଚାର କରିବାକୁ ମନା କରି ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, “ଆମେ କାହା ପାଇଁ ବ୍ୟତିକ୍ରମ ଭାବେ କିଛି କରିନାହୁଁ। ଆମକୁ ଯାହା ନ୍ୟାୟୋଚିତ ମନେ ହେଲା ତାହା ଆମେ ନିଜ ଆଦେଶରେ କହିଛୁ। ”

ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିର୍ବାଚନ ରାଲିରେ କେଜ୍ରିୱାଲକ ଭାଷଣକୁ ବିରୋଧ କରିଥିଲେ । ନିକଟରେ ଏକ ରୋଡ ସୋ’ ବେଳେ କେଜ୍ରିୱାଲ ଲୋକଙ୍କୁ କହିଥିଲେ ଯେ, “ଆପଣ ଯଦି ଆମ୍ ଆଦମୀ ପାର୍ଟିକୁ ବାଛନ୍ତି, ତେବେ ମୋତେ ଆଉ ଜୁନ୍ ୨ରେ ଜେଲକୁ ଫେରିବାକୁ ପଡ଼ିବ ନାହିଁ।”

ଏନେଇ କୋର୍ଟ ମେହେଟ୍ଟାଙ୍କୁ କହିଛନ୍ତି, ଏହା ତାଙ୍କର ବିଶ୍ୱାସ। ଆମେ କିଛି କହି ପାରିବୁ ନାହିଁ। ”

କେଜ୍ରିୱାଲଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଶୁଣାଣି ବେଳେ ଅମିତ ଶାହଙ୍କ ନାଁ ନ ନେଇ ତାଙ୍କ ବୟାନ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ମୁଖ୍ୟ ଆବେଦନର ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଏହି ମାମଲାରେ କେଜ୍ରିୱାଲଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜୁନ୍ ୨ରେ ତାଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ କହିଛନ୍ତି।

ଏହି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା।