କୋଭାକ୍ସିନ୍ ଟିକା ନେଇଥିବା ୩୦ ପ୍ରତିଶତ ଲୋକଙ୍କ ଠାରେ ଦେଖାଦେଇଥିଲା ନାନା ସ୍ୱାସ୍ଥ୍ୟଗତ ସମସ୍ୟା | News Room Odisha

କୋଭାକ୍ସିନ୍ ଟିକା ନେଇଥିବା ୩୦ ପ୍ରତିଶତ ଲୋକଙ୍କ ଠାରେ ଦେଖାଦେଇଥିଲା ନାନା ସ୍ୱାସ୍ଥ୍ୟଗତ ସମସ୍ୟା

ନୂଆଦିଲ୍ଲୀ: କୋଭିସିଲ୍ଡକୁ ନେଇ ବିବାଦ ଥମିନଥିବା ବେଳେ ଦେଶୀ କରୋନା ଟିକା ‘କୋଭାକ୍ସିନ’ ନେଇଥିବା ଲୋକ ମଧ୍ୟ ପାର୍ଶ୍ଵ ପ୍ରତିକ୍ରିୟାର ସାମ୍ନା କରିଥିଲେ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି । ଭାରତ ବାୟୋଟେକର କୋଭିଡ୍ ଟିକା ‘କୋଭାକ୍ସିନ’ ଲଗାଇଥିବା ପ୍ରାୟ ଏକ ତୃତୀୟାଂଶ ଲୋକ ନାନା ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଏକ ଗବେଷକ ଟିମ୍ ଦ୍ୱାରା ଏକ ବର୍ଷ ଧରି କରାଯାଇଥିବା ଅଧ୍ୟୟନରେ ଏଭଳି ଦାବି କରାଯାଇଛି ।

ଗବେଷଣାରେ ଭାଗ ନେଇଥିବା ୯୨୬ ଲୋକଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଲୋକ ଅଭିଯୋଗ କରିଥିଲେ ଯେ କୋଭାକ୍ସିନ ଟିକା ଲଗାଇବା ପରେ ସେମାନଙ୍କ ଶ୍ୱାସକ୍ରିୟାରେ ସଂକ୍ରମଣ ହୋଇଥିଲେ। ଏହି ସଂକ୍ରମଣ ତାଙ୍କ ଶ୍ୱାସକ୍ରିୟାର ଉପର ଭାଗରେ ହୋଇଥିଲା |

ଏଥିରେ ଦାବି କରାଯାଇଛି, କୋଭାକ୍ସିନ୍ ଲଗାଇଥିବା ଏକ ପ୍ରତିଶତ ଲୋକ ବ୍ରେନ୍ ଷ୍ଟ୍ରୋକ୍ ଏବଂ ଗିଲିୟନ୍-ବାର୍ ସିଣ୍ଡ୍ରୋମ ନାମକ ସ୍ନାୟୁ ଗତ ସମସ୍ୟା ଭଳି ପାର୍ଶ୍ଵ ପ୍ରତିକ୍ରିୟାର ସାମ୍ନା କରିଥିଲେ। ‘ସ୍ପ୍ରିଙ୍ଗର ନେଚର’ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି।

ନିକଟରେ ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବ୍ରିଟେନର ଏକ କୋର୍ଟରେ ସ୍ୱୀକାର କରିଥିଲା ଯେ ଏହାର ‘କୋଭିସିଲ୍ଡ’ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଥାଇପାରେ। ଟିକା ନେବା ପରେ ଥ୍ରୋମ୍ବୋସିସ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (ଟିଟିଏସ୍) ହେବା ଆଶଙ୍କା ରହିଛି | ଟିଟିଏସ୍ ଦ୍ବାରା ମସ୍ତିଷ୍କ କିମ୍ବା ଶରୀରର ଅନ୍ୟ ସ୍ଥାନରେ ରକ୍ତ ଜମାଟ ବାନ୍ଧି ଯାଇପାରେ | ରକ୍ତରେ ଥିବା ପ୍ଲେଟଲେଟ୍ ସଂଖ୍ୟା କମିଯାଏ | ଏହାଦ୍ବାରା ବ୍ରେନ୍ ଷ୍ଟ୍ରୋକ୍ ଓ ହୃଦଘାତ ହୋଇପାରେ। ପ୍ଲେଟଲେଟ୍ ହେଉଛି ଛୋଟ କୋଷିକା ଯାହା ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ । ପ୍ଲେଟଲେଟ୍ ସଂଖ୍ୟା କମ୍ ହେଲେ ବିପଦ ।

ଭାରତରେ କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’ ଟିକାର ବହୁଳ ବ୍ୟବହାର ହୋଇଥିଲା।