ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, କଡ଼ା ସୁରକ୍ଷା | News Room Odisha

ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, କଡ଼ା ସୁରକ୍ଷା

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ଠାରୁ ଭଞ୍ଜନଗର ଓ ଛତ୍ରପୁରର ଡିସପୋଜାଲ୍ ସେଣ୍ଟରରୁ ଦୂରବର୍ତ୍ତୀ ଓ ଦୁର୍ଗମ ଗ୍ରାମାଞ୍ଚଳ ବୁଥ୍ ଗୁଡ଼ିକ ପାଇଁ ପୋଲିଂ ଅଫିସରଙ୍କୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବଳକା ବୁଥଗୁଡିକୁ ରବିବାର ସକାଳୁ ପୋଲିଂ ଷ୍ଟାଫଙ୍କୁ ପଠାଯିବ। ୧୯୩୭ ବୁଥ୍ କରାଯାଇଛି। ସେଥିରୁ ୪୨୦ ବୁଥକୁ ସମ୍ବେଦନଶୀଳ ବୋଲି ଘୋଷଣା କରାଯାଇଛି। ଏଥର ଭୋଟଗ୍ରହଣ ବେଳେ ୬୦% ବୁଥରେ ଓ୍ବେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ନିର୍ବାଚନ ଅଧିକ ସ୍ବଚ୍ଛ ଓ ନିରପେକ୍ଷ ହୋଇପାରିବ। ପ୍ରକାଶ ଥାଉକି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଓ୍ବେବକାଷ୍ଟିଂ ଯୋଗୁଁ ୪ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କ ଅନିୟମିତତା ଧରା ପଡି ଯାଇଥିଲା ଓ ନିଲମ୍ବିତ ହୋଇଥିଲେ।

ଏଥର ଆସିକା ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ କନ୍ଧମାଳ ଲୋକସଭା ଆସନ ଓ ଏଥି ଅନ୍ତର୍ଗତ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେବ। ଏଥିପାଇଁ ପୂର୍ବରୁ ନିୟୋଜିତ ପୋଲିସ ବାହିନୀ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ବ୍ୟତୀତ ଆଉ ୨୦ କମ୍ପାନୀ ଫୋର୍ସ ମୁତୟନ ହୋଇଛନ୍ତି। ୧୦ରୁ ୧୨ଟି ବୁଥ୍ ପାଇଁ ଗୋଟିଏ ଲେଖାଏଁ ମୋବାଇଲ୍ ପାର୍ଟି ବ୍ୟବସ୍ଥା କରାଯାଇଛି। କିଛି ଅଭିଯୋଗ ହେଲେ ସେଠାରେ ତୁରନ୍ତ ମୋବାଇଲ୍ ପାର୍ଟି ପହଞ୍ଚିବେ। ସେହିପରି ଆଇନଶୃଙ୍ଖଳା ରକ୍ଷା ତଥା ଅଘଟଣ ଏଡ଼ାଇବା ଦୃଷ୍ଟିରୁ ଗୋଟିଏ ଗୋଟିଏ ବିଧାନସଭା ଆସନ ପାଇଁ ଜଣେ ଏଏସପି ଓ ୨ ଜଣ ଡିଏସପି ନିୟୋଜିତ ହୋଇଛନ୍ତି। ଏଥିସହ ପ୍ରଚାରର ଶେଷ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି।