ବାତ୍ୟା ନେଇ ଏ ଯାଏଁ ପୂର୍ବାନୁମାନ କରାଯାଇନାହିଁ | News Room Odisha

ବାତ୍ୟା ନେଇ ଏ ଯାଏଁ ପୂର୍ବାନୁମାନ କରାଯାଇନାହିଁ

ଭୁବନେଶ୍ୱର – ବଙ୍ଗୋପସାଗରରେ ବାତ୍ୟା ନେଇ ଏବେ କୈାଣସି ପୂର୍ବାନୁମାନ କରାଯାଇନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ସମ୍ଭାବନା ରହିଥାଏ। ତେବେ ୨୨ ତାରିଖ ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ମନୋରମା କହିଛନ୍ତି। ଏବେ ଭୟ କରିବାର କିଛି ନାହିଁ। ଏ ପର୍ଯ୍ୟନ୍ତ ଆଇଏମ୍‌ଡି ବାତ୍ୟା ନେଇ କୌଣସି ଆକଳନ କରିନି। ଏବେ ଲଘୁଚାପ ମଧ୍ୟ ସୃଷ୍ଟି ହୋଇନାହିଁ। ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ସେ କହିଛନ୍ତି।

ଏଣେ ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିପାରେ। ଉପକୂଳ ଓଡ଼ିଶାରେ ଦିନ ସମୟରେ ଆର୍ଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।