ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ: କାଲି ୫ ଲୋକସଭା, ୩୫ ବିଧାନସଭା ଆସନରେ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ | News Room Odisha

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ: କାଲି ୫ ଲୋକସଭା, ୩୫ ବିଧାନସଭା ଆସନରେ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ

ଭୁବନେଶ୍ୱର – ସମସ୍ତ ପ୍ରସ୍ତୁତି ଶେଷ । ରାଜ୍ୟରେ ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ୫ଟି ଲୋକସଭା ଆସନ ଓ ଏସବୁ ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୩୦୫ ଜଣ ପ୍ରାର୍ଥୀ। ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ ଓ ଆସ୍କା ଲୋକସଭା ଆସନରେ ମୋଟ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୩୫ ବିଧାନସଭା ଆସନରେ ଲଢୁଛନ୍ତି ମୋଟ ୨୬୫ ପ୍ରାର୍ଥୀ। ଏମାନଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୯ ଲକ୍ଷରୁ ଅଧିକ ଭୋଟର ।

ଦ୍ୱିତୀୟ ପର୍ଯ୍ୟାୟରେ ୧୩ ଜଣ ହେଭିୱେଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨ଟି ଆସନ ହିଞ୍ଜିିଳି ଓ କଣ୍ଟାବାଞ୍ଜିରେ ଆସନ୍ତାକାଲି ଭୋଟ ଗ୍ରହଣ ହେବ ।
ଏହି ପର୍ଯ୍ୟାୟରେ ମୋଟ ୯ ହଜାର ୧୬୨ଟି ବୁଥ ଥିବା ବେଳେ ୧ ହଜାର ୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରିବେ । ୧୫୪୧ ଆଦର୍ଶ ବୁଥ କରାଯାଇଥିବା ବେଳେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ।

ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । କନ୍ଧମାଳ ଜିଲ୍ଲାରେ ୨୨, ଗଞ୍ଜାମ ଜିଲ୍ଲାରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ।