ହାଇଦ୍ରାବାଦକୁ ହରାଇ ଫାଇନାଲରେ କେକେଆର୍ | News Room Odisha

ହାଇଦ୍ରାବାଦକୁ ହରାଇ ଫାଇନାଲରେ କେକେଆର୍

ଅହମ୍ମଦାବାଦ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲର ପ୍ରଥମ କ୍ବାଲିଫାୟରରେ ସହଜ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟରରେ କେକେଆର୍ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଶେଷଥର ଦଳ ୨୦୨୧ ସିଜନରେ ଫାଇନାଲ ଖେଳିଥିଲା | ପ୍ରଥମ କ୍ବାଲିଫାୟର ହାରି ଯାଇଥିଲେ ମଧ୍ୟ ହାଇଦ୍ରାବାଦ କ୍ୱାଲିଫାୟର-୨ ଜିତି ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ପାଇବ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ କ୍ବାଲିଫାୟରରେ ହାଇଦ୍ରାବାଦ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ପୂରା ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ପ୍ରଦର୍ଶନ କରିଥିବା ଦଳର ବ୍ୟାଟିଂ ଲାଇନ୍ ଅପ୍ ଆଜି ଫେଲ ମାରିଥିଲା । ହାଇଦ୍ରାବାଦ ୧୯.୩ ଓଭରରେ ମାତ୍ର ୧୫୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ କୋଲକାତା ମାତ୍ର ୧୩.୪ ଓଭରରେ ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଭେଙ୍କଟେଶ ଆୟର ୫୧ ରନର ଇନିଂସ ଖେଳିଥିବା ବେଳେ କ୍ୟାପଟେନ୍ ଶ୍ରେୟାସ ଆୟର ଅପରାଜିତ ୫୮ ରନ୍ କରିଥିଲେ। ଉଭୟ ୪୪ ବଲରେ ୯୭ ରନର ଭାଗିଦାରୀ କରିଥିଲେ | ହାଇଦ୍ରାବାଦ ତରଫରୁ ପ୍ୟାଟ୍ କମିନ୍ସ ଏବଂ ଟି ନଟରାଜନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ହାଇଦ୍ରାବାଦ ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧିକ ୫୫ ରନ୍ କରିଥିଲେ । ସେ ଦଳର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ। କେକେଆର୍ ତରଫରୁ ମିଚେଲ ଷ୍ଟାର୍କ ୩ଟି ଓ ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ୍ ନେଇଥିଲେ।