ନିଆଳିରେ ପାଣ୍ଡିଆନଙ୍କ ପ୍ରଚାର : କହିଲେ ସବୁ ପ୍ରଶ୍ନର ଉତ୍ତର କେବଳ ନବୀନ ପଟ୍ଟନାୟକ | News Room Odisha

ନିଆଳିରେ ପାଣ୍ଡିଆନଙ୍କ ପ୍ରଚାର : କହିଲେ ସବୁ ପ୍ରଶ୍ନର ଉତ୍ତର କେବଳ ନବୀନ ପଟ୍ଟନାୟକ

ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ପାଇଁ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ନିଆଳିରେ ପ୍ରଚାର କରିଛନ୍ତି। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟରେ ସବୁ ପ୍ରଶ୍ନର ଉତ୍ତର ଗୋଟିଏ । ତାହା ହେଉଛି ନବୀନ ପଟ୍ଟନାୟକ ।

ସଭାରେ ଉପସ୍ଥିତ ଲୋକଙ୍କୁ ପାଣ୍ଡିଆନ ପଚାରିଲେ – ମିଶନଶକ୍ତି କିଏ କରିଛି ? ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି ? ବି.ଏସ୍‍.କେ.ୱାଇରେ ସ୍ୱାସ୍ଥ୍ୟ ସୁରକ୍ଷା କିଏ ଦଉଛି ? ମଧୁବାବୁ ପେନ୍‍ସନରେ ଭତ୍ତା କିଏ ଦଉଛି ? ଲକ୍ଷ୍ମୀ ବସରେ ମା’ମାନଙ୍କୁ ୫ ଟଙ୍କାରେ ଯାତାୟତ ସୁବିଧା କିଏ ଦଉଛି ? ଜନତା ଏକ ସ୍ୱରରେ ଉତ୍ତର ଦେଇଥିଲେ – ନବୀନ ପଟ୍ଟନାୟକ । ନିଆଳିକୁ ଏନ୍‍.ଏ.ସି. କିଏ କରିଛନ୍ତି ? ଉତ୍ତର – ନବୀନ ପଟ୍ଟନାୟକ । ମାଧବାନନ୍ଦଜୀଉ ମନ୍ଦିରର ରୂପାନ୍ତର ପାଇଁ ୫ କୋଟି ଟଙ୍କା କିଏ ଦେଇଛି ? ନିଆଳି ଅଞ୍ଚଳର ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ ଆଦି ପୂଜାସ୍ଥଳର ରୂପାନ୍ତର କିଏ କରିଛି ବୋଲି ପାଣ୍ଡିଆନଙ୍କ ପ୍ରଶ୍ନର ଊତ୍ତର ଥିଲା ନବୀନ ପଟ୍ଟନାୟକ ।

ପାଣ୍ଡିଆନ କହିଥିଲେ ଯେ, ସମସ୍ତେ ଜାଣିଛନ୍ତି ସାରା ଓଡ଼ିଶା ଏକ ସ୍ୱରରେ କହୁଛି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍‍ ଛାଡ଼ କରିବେ । ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ ଦେବେ । ମା’ମାନଙ୍କ ଅନୁରୋଧକୁ ମୁଖ୍ୟମନ୍ତ୍ରୀ ରକ୍ଷା କରିଛନ୍ତି ବୋଲି ପାଣ୍ଡିଆନ ସଭାକୁ ସମ୍ବୋଧିତ କରି କହିଥିଲେ।

ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି । ହେଲେ ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏହାର ଜବାବ ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ। ୭୦ ହଜାର ମାର୍ଜିନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାନ୍ତୁ ବୋଲି ପାଣ୍ଡିଆନ ଅନୁରୋଧ କରିଛନ୍ତି।