ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର : ଦିନକ ପରେ ୬ ଲୋକସଭା, ୪୨ ବିଧାନସଭା ଆସନରେ ଭୋଟ୍ | News Room Odisha

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର : ଦିନକ ପରେ ୬ ଲୋକସଭା, ୪୨ ବିଧାନସଭା ଆସନରେ ଭୋଟ୍

ଭୁବନେଶ୍ୱର – ଆସନ୍ତା ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଆଜି ସଂଧ୍ୟାରେ ସରିଛି ହାଇଭୋଲଟେଜ ପ୍ରଚାର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ଉଦ୍ୟମ କରିଛନ୍ତି ବିଭିନ୍ନ ଦଳ । ବେଶ୍ କିଛି ଦିନ ଧରି ପ୍ରମୁଖ ରାଜନୈତିକ ଦଳର ତାରକା ପ୍ରଚାରକମାନେ ନିର୍ବାଚନୀ ସଭା ଓ ରୋଡ୍ ଶୋ’ କରି ଭୋଟ୍ ଭିକ୍ଷା କରିଥିଲେ ।

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ମତଦାନ ହେବ । ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ଆସନରେ ହେବ ମତଦାନ। ଏହି ପର୍ଯ୍ୟାୟରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ମୋଟ ୪୪୭ ଜଣ ପ୍ରାର୍ଥୀ ‌ଅଛନ୍ତି । ୬ ଲୋକସଭା ଆସନରେ ୬୪ ଓ ୪୨ ବିଧାନସଭା ଆସନରେ ୩୮୩ ଜଣ ପ୍ରାର୍ଥୀ ଅଛନ୍ତି । ତୃତୀୟ ପର୍ଯ୍ୟାୟରେ ୯୪ ଲକ୍ଷ ୪୮ ହଜାରରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥିରୁ ୨.୫ ପ୍ରତିଶତ ମତଦାତା ପ୍ରଥମ ଥର ଭୋଟ ଦେବେ ।

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର ୫୫୧ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରେ ୨ ହଜାର ମଡେଲ ବୁଥ ରହିଛି। ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି ।

ତୃତୀୟ ପର୍ଯ୍ୟାୟରେ ସୁରକ୍ଷା ପାଇଁ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ – ସିଏପିଏଫ ମୁତୟନ କରାଯିବ।