ଜଗତସିଂହପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିରୋଧୀ ଦଳକୁ ଶାଣିତ ଆକ୍ରମଣ | News Room Odisha

ଜଗତସିଂହପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିରୋଧୀ ଦଳକୁ ଶାଣିତ ଆକ୍ରମଣ

ଭୁବନେଶ୍ୱର – ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିମାପଡ଼ା, କାକଟପୁର, ନିଆଳି, ବଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଲକ୍ଷାଧିକ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ।

ତାଙ୍କ ଭାଷଣରେ ବିରୋଧୀ ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରି ପାଣ୍ଡିଆନ କହିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ । ବାହାରୁ ବଡ଼ ବଡ଼ ନେତାମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନ କରୁଥିବା ଲୋକମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦିଅନ୍ତୁ ବୋଲି ସେ କହିଥିଲେ ।
ଆସାମ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରି ସେ କହିଲେ ଯେ, ଆସାମ ମୁଖ୍ୟମନ୍ତ୍ରୀ ଜାଣିବା ଉଚିତ ଯେ, ନବୀନ ବାବୁ ଆପଣଙ୍କ ଗୁରୁଙ୍କ ଗୁରୁ ସହିତ କାମ କରିଛନ୍ତି । ବାଜପେୟୀଙ୍କ ସରକାରରେ ନବୀନ ବାବୁ ଯେତେବେଳେ କ୍ୟାବିନେଟ୍‍ ମନ୍ତ୍ରୀ ଥିଲେ, ଆପଣ ସେତେବେଳେ ଓକିଲାତି କରୁଥିଲେ । ଆପଣ ଓଡ଼ିଶାବାସୀଙ୍କ ଠାରୁ ସଂସ୍କାର ଶିଖନ୍ତୁ । ଓଡ଼ିଶା କେବେ ଅତିଥିଙ୍କୁ ଏମାଟିରେ ଅସମ୍ମାନ କରେ ନାହିଁ । ମହାପ୍ରଭୁ ଆପଣଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ । ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରନ୍ତୁ ନାହିଁ ।

ସେ ପୁଣି କହିଲେ ଯେ, ଆସାମ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସି କହୁଛନ୍ତି, ଯେ ଓଡ଼ିଶାକୁ ଏକ ନମ୍ୱର କରିବେ । ପ୍ରଥମେ ସେମାନେ ଆଗେ ନିଜ ରାଜ୍ୟକୁ ଦେଖନ୍ତୁ, ତା’ପରେ ଓଡ଼ିଶା କଥା ଚିନ୍ତା କରିବେ । ଓଡ଼ିଶାଠୁ ସବୁ କ୍ଷେତ୍ରରେ ସେମାନେ ବହୁ ପଛରେ ଅଛନ୍ତି । ଓଡ଼ିଶାକୁ ଏକ ନମ୍ୱର କରିବେ ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ କିଛି ଶିଖିକି ଯାଆନ୍ତୁ, କାମରେ ଲାଗିବ ।
ବିରୋଧିଙ୍କ ଉପରେ ଶାଣିତ ଆକ୍ରମଣ ଜାରି ରଖି ସେ କହିଲେ ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର ଓ ତାଙ୍କୁ ଅସମ୍ମାନିତ କରିବାକୁ ଓଡ଼ିଶାବାସୀ କେବେ ବରଦାସ୍ତ କରିବେ ନାହିଁ । ଜୁନ ୧ ତାରିଖରେ ଆପଣମାନେ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଥିଲେ । ସେ କହିଲେ ଯେ, ବିରୋଧୀ ଦଳ ବିଜୁ ଜନତା ଦଳର କର୍ମୀମାନଙ୍କୁ ଧମକ ଦେଉଛନ୍ତି । ଆକ୍ରମଣ କରୁଛନ୍ତି । ଏଇଟା ଭଲ ନୁହେଁ । ଆମ ଦଳର କୌଣସି କର୍ମୀଙ୍କ ଦେହରେ ହାତ ଲଗେଇବାକୁ ଦେବୁନାହିଁ । ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ୱାସ କରନ୍ତି ।
ଓଡ଼ିଶାବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତା ଓ ଭଲପାଇବାର ସମ୍ପର୍କରେ ବର୍ଣ୍ଣନା କରି ସେ କହିଲେ ଯେ, ସେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜପରିବାରର ସଦସ୍ୟ ବୋଲି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି । ଏ ସରକାର ହେଉଛି ଆପଣମାନଙ୍କ ସରକାର । ଚାଷୀଭାଇମାନଙ୍କ ସରକାର, ଯୁବପିଢ଼ିର ସରକାର ।

ଏହାପରେ ପାଣ୍ଡିଆନ ରାଜ୍ୟର ସବୁ ଲୋକପ୍ରିୟ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ ଏ ସବୁ କିଏ କରୁଛି । ସବୁ ପ୍ରଶ୍ନର ଗୋଟିଏ ଉତ୍ତର ଆସିଥିଲା – ନବୀନ ପଟ୍ଟନାୟକ ।
ପାଣ୍ଡିଆନ ପଚାରିଥିଲେ – ମିଶନଶକ୍ତି କିଏ କରିଛି ? ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି ? ବି.ଏସ୍‍.କେ.ୱାଇରେ ସ୍ୱାସ୍ଥ୍ୟ ସୁରକ୍ଷା କିଏ ଦଉଛି ? ମଧୁବାବୁ ପେନ୍‍ସନରେ ଭତ୍ତା କିଏ ଦଉଛି ? ଲକ୍ଷ୍ମୀ ବସରେ ମା’ମାନଙ୍କୁ ୫ ଟଙ୍କାରେ ଯାତାୟତ ସୁବିଧା କିଏ ଦଉଛି ? ଜନତା ଏକ ସ୍ୱରରେ ଉତ୍ତର ଦେଇଥିଲେ – ନବୀନ ପଟ୍ଟନାୟକ । ମଠ, ମନ୍ଦିର, ଚର୍ଚ୍ଚ, ମସ୍‍ଜିଦ୍‍ ଆଦି ପୂଜାସ୍ଥଳର ରୂପାନ୍ତର କିଏ କରିଛି – ଉତ୍ତର ଆସିଥିଲା ନବୀନ ପଟ୍ଟନାୟକ ।

ସେ ପୁଣି କହିଲେ ଯେ, ମହାପ୍ରଭୁଙ୍କ କୃପାରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା – ମାଲକାନଗିରିରୁ ମୟୂରଭଞ୍ଜ, ସୁନ୍ଦରଗଡ଼ରୁ ଜଗତ୍‍ସିଂହପୁର ପର୍ଯ୍ୟନ୍ତ – ସମସ୍ତେ ଜାଣିଗଲେଣି ଯେ, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ, ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼ । ଦ୍ୱିତୀୟ ଦସ୍ତଖତରେ ବି,ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ । ବି.ପି.ଏଲ୍‍ କାର୍ଡ ନଥିଲେ ଏପରିକି ସରକାରୀ ଚାକିରିରେ ଥିଲେ ମଧ୍ୟ ସମସ୍ତେ ବି.ଏସ୍‍.କେ.ୱାଇ କାର୍ଡ ପାଇବେ । ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା ମିଳିବ ।

ବିରୋଧି ଦଳର ମିଛ ପ୍ରତିଶ୍ରୁତିର ମୁଖା ଖୋଲି ସେ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପି କହୁଛି ମାଗଣା ବିଜୁଳି ଦେବ । କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ । ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ । ସେମାନେ ଆପଣଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି, ଏମାନଙ୍କୁ ଚିହ୍ନିକି ରଖନ୍ତୁ ବୋଲି ପାଣ୍ଡିଆନ କହିଥିଲେ।

ପାରାଦୀପରେ ସେ କହିଲେ ଯେ, ବିଜୁବାବୁଙ୍କୁ ଆପଣମାନେ ଭଲ ପାଆନ୍ତି ? ସମସ୍ତେ ଉତ୍ସାହର ସହିତ ବିପୁଳ ହର୍ଷଧ୍ୱନି ସହ କହିଥିଲେ ‘ହଁ’ । ତା’ପରେ ପାଣ୍ଡିଆନ କହିଲେ ଯେ, ପାରାଦୀପକୁ ବିଜୁବାବୁ ବହୁତ ଭଲ ପାଉଥିଲେ । ପାରାଦୀପ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ । ପାରାଦୀପ ପାଇଁ ବହୁ ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ପାରାଦୀପର ଉନ୍ନତି ହେବ, ଲୋକଙ୍କ ରୋଜଗାର ବଢ଼ିବ ।
ଶେଷରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଦିନରାତି ଖଟୁଛନ୍ତି । ୫ ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ । ମୋର ଆଶା, ବିଶ୍ୱାସ ଓ ଅନୁରୋଧ ଯେ, ଆପଣମାନେ ଜୋରଦାର ଆଶୀର୍ବାଦ କରି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବେ । ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ । ସବୁ ସ୍ଥାନରେ ୫୦ ହଜାରରୁ ୭୦ ହଜାର ମାର୍ଜିନରେ ଜିତାଇବାକୁ ଜନତା ପ୍ରତିଶ୍ରୁତି ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମର ହିସାବ ଦେଇ ନିମାପଡ଼ାରେ ସେ କହିଲେ ଯେ, ସୋମନାଥ ମନ୍ଦିର ପାଇଁ ୫ କୋଟି ଟଙ୍କା, ଜଟେଶ୍ୱର ମନ୍ଦିର ପାଇଁ ୧.୫୦ କୋଟି ଟଙ୍କା, ଅମରେଶ୍ୱର ମନ୍ଦିର ପାଇଁ ୧.୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ୧୫ ହଜାର ଟଙ୍କାର ପ୍ୟାକେଜ୍‍ କରିଛନ୍ତି ଏବଂ ପାନ ଚାଷ ଲାଗି ମଧ୍ୟ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ନିଆଳିକୁ ମୁଖ୍ୟମନ୍ତ୍ରୀ ଏନ୍‍.ଏ.ସି. କିଏ କରିଛନ୍ତି ବୋଲି ସେ କହିଥିଲେ । ମାଧବାନନ୍ଦଜୀଉ ମନ୍ଦିରର ରୂପାନ୍ତର ପାଇଁ ୫ କୋଟି ଟଙ୍କା ଦେଇଛନ୍ତି । ବାଲିକୁଦା-ଏରସମାରେ କୁଞ୍ଜବିହାରୀ ମନ୍ଦିର ପାଇଁ ୨.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ତିର୍ତ୍ତୋଲରେ ମା’ ସାରଳା ମନ୍ଦିର ରୂପାନ୍ତରିତ କରିବା ପାଇଁ ୪୫ କୋଟି ଟଙ୍କା, ଗୋରେଖନାଥ ପୀଠର ଉନ୍ନତି କରଣ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା, ପଞ୍ଚଶଖା ଧ୍ୟାନପୀଠ ରୂପାନ୍ତରଣ ପାଇଁ ୨ କୋଟି ୧୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ।

ପାରାଦୀପରେ ସେ କହିଥିଲେ ଯେ, ଆପଣମାନେ ଯାହାବି ଦରଖାସ୍ତ ଦେଇଥିଲେ ତା’ମଧ୍ୟରୁ ୮୦ ପ୍ରତିଶତ ସମାଧାନ ହୋଇଛି । ଆଉ ଯାହାବି ସମସ୍ୟା ଅଛି ଖୁବ୍‍ ଶୀଘ୍ର ସମାଧାନ ହେବ । କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡଃ ରାଜଶ୍ରୀ ମଲ୍ଲିକ, ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକ, କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା, ନିଆଳି ବିଧାୟକ ପ୍ରାର୍ଥୀ ଡଃ ପ୍ରମୋଦ ମଲ୍ଲିକ, ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସନ୍ନ ଜେନା, ପାରାଦୀପ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ରାଉତରାୟ, ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲୀ ପ୍ରମୁଖ ବିଜୁ ଜନତା ଦଳ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଅନୁରୋଧ କରିଥିଲେ ।