ବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବା‌ ପାଇଁ ଇସିକୁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ | News Room Odisha

ବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବା‌ ପାଇଁ ଇସିକୁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୱେବସାଇଟରେ ବୁଥ୍ଓ୍ବାରି ମତଦାନ ପ୍ରତିଶତ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏକ ବେସରକାରୀ ସଂଗଠନ (ଏନଜିଓ) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି।

ଲୋକସଭା ନିର୍ବାଚନ ଚାଲିଥିବା ବେଳେ ୱେବସାଇଟରେ ବୁଥଓ୍ବାରି ଭୋଟ୍ ପ୍ରତିଶତ ତଥ୍ୟ ଅପଲୋଡ୍ କାର୍ଯ୍ୟରେ ଲୋକଙ୍କୁ ନିୟୋଜିତ କରିବା ନିର୍ବାଚନ କମିଶନ ପାଇଁ କଷ୍ଟକର ହେବ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଏକ ଅବକାଶ କାଳୀନ ଖଣ୍ଡପୀଠ କହିଛନ୍ତି, ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ଥିବାରୁ ଏହି ସମୟରେ ଆମେ ନିର୍ବାଚନ କମିଶନଙ୍କୁ କୌଣସି ନିର୍ଦ୍ଦେଶ ଦେଇପାରିବୁ ନାହିଁ।

ଏନଜିଓ ‘ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ଆର୍ଡି) ଦ୍ୱାରା ଦାଖଲ ଏକ ଅନ୍ତରୀଣ ଆବେଦନ (ଏଆଇ)କୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତ ରଖିଛନ୍ତି । ନିର୍ବାଚନ ପରେ ଏହା ନିୟମିତ ଖଣ୍ଡପୀଠ ସମ୍ମୁଖରେ ତାଲିକାଭୁକ୍ତ କରାଯିବ। କୋର୍ଟ କହିଛନ୍ତି ଯେ ଆବେଦନରେ କରାଯାଇଥିବା ଅନୁରୋଧ ଏହି ମାମଲାରେ ୨୦୧୯ ଠାରୁ ବିଚାରାଧୀନ ଥିବା ମୁଖ୍ୟ ଆବେଦନ ସହ ସମାନ। ତେଣୁ ମୁଖ୍ୟ ଆବେଦନ ସହିତ ଏହି ମାମଲାର ଶୁଣାଣି କରାଯିବ।

ଖଣ୍ଡପୀଠ କହିଛନ୍ତି, ୱେବସାଇଟରେ ଭୋଟ୍ ପ୍ରତିଶତ ତଥ୍ୟ ଅପଲୋଡ୍ କାର୍ଯ୍ୟ ପାଇଁ ଲୋକଙ୍କୁ ନିୟୋଜିତ କରିବା ନିର୍ବାଚନ କମିଶନଙ୍କ ପାଇଁ କଷ୍ଟକର ହେବ। ଏଆଇ(ଅନ୍ତରୀଣ ଆବେଦନ)ରେ କୌଣସି ଆଦେଶ ଦେବା ବିଚାରାଧୀନ ଥିବା ମୁଖ୍ୟ ଆବେଦନରେ ଆଦେଶ ଦେବା ସହ ସମାନ ହେବ।

ସୁପ୍ରିମକୋର୍ଟ ମେ ୧୭ରେ ଆବେଦନକାରୀ ଏନଜିଓର ପିଟିସନ ଉପରେ ନିର୍ବାଚନ କମିଶନଙ୍କ ଠାରୁ ଜବାବ ମାଗିଥିଲେ । ପ୍ରତି ପର୍ଯ୍ୟାୟ ମତଦାନ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ କମିଶନଙ୍କ ୱେବସାଇଟରେ ବୁଥ୍ଓ୍ବାରି ଭୋଟ୍ ପ୍ରତିଶତ ତଥ୍ୟ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ଅନୁରୋଧ କରିଥିଲେ।

ଆବେଦନକାରୀ ଏଡିଆର୍ ଏହାର ୨୦୧୯ ଜନସ୍ବାର୍ଥ ମାମଲା ଅଧୀନ ଏକ ଅନ୍ତରୀଣ ଆବେଦନ(ଏଆଇ) କରିଥିଲା, ଯେଉଁଥିରେ ଭୋଟ୍ ଦେବା ପରେ ପ୍ରତି ମତଦାନ କେନ୍ଦ୍ରର ଫର୍ମ ୧୭-ସିର ପଠନଯୋଗ୍ୟ ସ୍କାନ୍ କପି ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯାଇଥିଲା ।