ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ଲୋକଙ୍କୁ ପ୍ରଶ୍ନ, ବିକାଶ ପାଇଁ ବିଜେପି କରିଛି କ'ଣ ? | News Room Odisha

ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ଲୋକଙ୍କୁ ପ୍ରଶ୍ନ, ବିକାଶ ପାଇଁ ବିଜେପି କରିଛି କ’ଣ ?

ଭୁବନେଶ୍ୱର -ବାଲେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ବିଜେପିକୁ ବିକାଶ ପ୍ରସଙ୍ଗରେ ଘେରିଛନ୍ତି । ବିଜେପି ବାଲେଶ୍ଵରବାସୀଙ୍କ ବିକାଶ ପାଇଁ କ’ଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ବାଲେଶ୍ୱରରେ ବିଜେପି ନେତା ମିଛ କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ । ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍‍, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିର କାମ, ସବୁପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ ବହୁତ ଭଲ ।

ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରି କହିଥିଲେ। ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ, ଆପଣମାନେ ଖୁସି ତ ? ଆନନ୍ଦ ଉଲ୍ଲାସ ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ ।

ନବୀନ ପଟ୍ଟନାୟକ ଭଲ କି ? ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ । ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସଭାରେ ଭାଷଣ ଦେଇ କହିଥିଲେ।

ନୂଆ ଓଡ଼ିଶା ଗଠନରେ ବାଲେଶ୍ୱରର ବହୁତ ବଡ଼ ଅବଦାନ ରହିବ । ବିଜେଡିର ଘୋଷଣାପତ୍ର ଅନୁଯାୟୀ ବାଲେଶ୍ୱର, ବାରିପଦାକୁ ନେଇ ଶିଳ୍ପ କ୍ଳଷ୍ଟର କରାଯିବ ।

ବହୁତ ବଡ଼ ବଡ଼ ଇଣ୍ଡଷ୍ଟ୍ରି ଆସିବ । ନିଯୁକ୍ତି ସୃଷ୍ଟି ହେବ ଓସରୋଜଗାର ବଢ଼ିବ ବୋଲି ପାଣ୍ଡିଆନ କହିଥିଲେ।

ବାଲେଶ୍ୱରରେ ଫକୀରମୋହନ ମେଡିକାଲ କଲେଜ କିଏ କରିଛନ୍ତି ? ବିଭିନ୍ନ ମନ୍ଦିର, ମଠ ଓ ମସଜିଦର ବିକାଶ କିଏ କରିଛନ୍ତି, ଚାନ୍ଦିପୁର ଓ ଉଦୟପୁର ବେଳାଭୂମିର ବିକାଶ କିଏ କରିଛନ୍ତି ? ସମସ୍ତ ପ୍ରଶ୍ନର ଗୋଟିଏ ଉତ୍ତର ଆସିଥିଲା ଜନତାଙ୍କ ପାଖରୁ – ନବୀନ ପଟ୍ଟନାୟକ ।

ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା କହୁଛି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼ । ଦ୍ୱିତୀୟ ଦସ୍ତଖତ ହେବ ବି,ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ସମସ୍ତଙ୍କୁ କାର୍ଡ ମିଳିବ । ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା ।

ଏ ସବୁ ଶୁଣି ବିରୋଧୀଙ୍କ ନିଦ ହଜିଗଲାଣି ବୋଲି ପାଣ୍ଡିଆନ କହିଥିଲେ। ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର କହିଲେ ଯେ, ରାଜନୀତିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଅନେକ ରାଜନୈତିକ ଦଳ କହିଥିଲେ, କିନ୍ତୁ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଏହାକୁ କାମରେ କରି ଦେଖାଇଲା । ବାଲେଶ୍ୱରେ ୩୩ ନୁହେଁ, ୫୦ ପ୍ରତିଶତ ସ୍ଥାନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ହିଁ ସୁଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଚିର ଋଣୀ ।

ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣର ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି ଲେଖାଶ୍ରୀ କହିଥିଲେ।