ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ | News Room Odisha

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍

ଭୁବନେଶ୍ୱର – ଇଭିଏମ ଅଚଳ ଓ କିଛି ସ୍ଥାନରେ ପ୍ରାର୍ଥୀଙ୍କ ବିଶୃଙ୍ଖଳିତ ଆଚରଣର ଅଭିଯୋଗ ସହ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଇଭିଏମରେ ସିଲ୍ ହୋଇଯାଇଛି ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଥିଲା। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା ଆସନଗୁଡିକରେ ମତଦାନ ହୋଇଛି। ୬ ଲୋକସଭା ଆସନରେ ୬୪ ଓ ୪୨ ବିଧାନସଭା ଆସନରେ ୩୮୩ ପ୍ରାର୍ଥୀ ମଇଦାନରେ ଥିଲେ । ତୃତୀୟ ପର୍ଯ୍ୟାୟରେ ବହୁ ହାଇ ପ୍ରୋଫାଇଲ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ, ପୁରୀରୁ ଅରୂପ ପଟ୍ଟନାୟକ ଓ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ମନ୍ମଥ ରାଉତରାୟ ଓ ୟାସିର ନୱ।ଜ, କଟକରୁ ଭର୍ତ୍ତୃହରି ମହତାବ ଓ ସନ୍ତୃପ୍ତ ମିଶ୍ର ପ୍ରମୁଖଙ୍କ ଭାଗ୍ୟ ଇଭିଏମରେ ଆଜି ସିଲ୍ ହୋଇଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ସଂଧ୍ୟା ୬ଟା ସୁଦ୍ଧା ୫୯.୭୨ ପ୍ରତିଶତ ମତଦାନ ହୋଇଛି। ଚୂଡାନ୍ତ ରିପୋର୍ଟରେ ଏହି ସଂଖ୍ୟା ଆହୁରି ବଢିପାରେ। ତେବେ ୨୦୧୯ ତୁଳନାରେ ଏଥର ମତଦାନ ହାର କମିଛି ବୋଲି ସିଇଓ କହିଛନ୍ତି।

ସଂଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଭୁବନେଶ୍ବରରେ ୫୩.୫୪ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ୫୪.୩୬, ଢେଙ୍କାନାଳରେ ୬୦.୮୮, କେନ୍ଦୁଝରରେ ୬୨.୪୩,
ପୁରୀରେ ୬୧.୧୭ ଏବଂ ସମ୍ବଲପୁରରେ ୬୬.୬୭ ପ୍ରତିଶତ ମତଦାନ ହୋଇଛି।

ମେ’ ୧୩ ଓ ୨୦ ତାରିଖରେ ରାଜଧାନୀରେ ହୋଇଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୭୦ ପ୍ରତିଶତରୁ ଅଧିକ ରହିଥିଲା । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ୍ ପହିଲାରେ ହେବ । ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ଆସିବ ।