ଯାଜପୁର ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଫମ୍ପା ପ୍ରତିଶ୍ରୁତି ପାଇଁ ବିଜେପିକୁ ଟାର୍ଗେଟ, କହିଲେ ବିରୋଧୀ କେବଳ ଭୋଟ୍ ରାଜନୀତିରେ ବ୍ୟସ୍ତ | News Room Odisha

ଯାଜପୁର ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଫମ୍ପା ପ୍ରତିଶ୍ରୁତି ପାଇଁ ବିଜେପିକୁ ଟାର୍ଗେଟ, କହିଲେ ବିରୋଧୀ କେବଳ ଭୋଟ୍ ରାଜନୀତିରେ ବ୍ୟସ୍ତ

ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ମାର୍ଜିନରେ ଜିତାଇବାକୁ ସେ ଅନୁରୋଧ କରିଥିଲେ ।

ଆରମ୍ଭରୁ ବିଜେପି ଉପରେ ତୀବ୍ର ଆକ୍ରମଣ କରି ସେ କହିଲେ ଯେ, ବିଜେପିର ଆଭ୍ୟନ୍ତରୀଣ ସର୍ଭେ କହୁଛି ଯେ ସେମାନଙ୍କ ଟାର୍ଗେଟ ହଉଛି ୩୦ଟି ଆସନ । ସେଥିରେ ପୁଣି ଧର୍ମଶାଳା ବି ଅଛି । ଓଡ଼ିଶାରେ ଯେତେ ଓଲଟପାଲଟ କାମ କଲେ ବି ଧର୍ମଶାଳାରୁ ଆଶୀର୍ବାଦ କମିବ ନାହିଁ, କେବଳ ବଢ଼ିବ ବୋଲି ପାଣ୍ଡିଆନ କହିଥିଲେ।

ଧର୍ମଶାଳାରେ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଶାଣିତ ଆକ୍ରମଣକରି ତାଙ୍କ ପ୍ରତ୍ୟେକ ମନ୍ତବ୍ୟର କଡ଼ା ଜବାବ ଦେଇଥିଲେ । ସେ କହିଲେ ଯେ, ଆଜି କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡ଼ାରେ କହିଛନ୍ତି ଯେ ନବୀନ ବାବୁଙ୍କୁ ଲୋକ ଆଉ ଆଶୀର୍ବାଦ ଦେବେ ନାହିଁ । କେନ୍ଦ୍ରାପଡ଼ାରେ ସେମାନେ ବହୁତ ମାର୍ଜିନରେ ଜିତିବେ । କେନ୍ଦ୍ରମନ୍ତ୍ରୀ ଜାଣିବା ଉଚିତ ବିଜେପୁର ଉପ-ନିର୍ବାଚନରେ ଓ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୨୦୧୮ରେ ସେ ଯେଉଁ ଆକଳନ କରି ଭାଷଣ ଦେଇଥିଲେ ସବୁ ଓଲଟା ହେଲା । ସ୍ମୃତି ଇରାନୀ ଯାହା କହନ୍ତି, ତାହା ଓଲଟା ଫଳ ଦିଏ । କେନ୍ଦ୍ରାପଡ଼ାରେ, ଧର୍ମଶାଳାରେ ସାରା ଓଡ଼ିଶାରେ ଆମେ ବିପୁଳ ମାର୍ଜିନରେ ଜିତିବୁ । ସେ ପୁଣି କହିଲେ ଯେ ସେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଥିଲେ । ଯଦି ଓଡ଼ିଶାରେ ୧୦ଟି ଟେକ୍ସଟାଇଲ ପାର୍କ କରିଥାଆନ୍ତେ, ତା’ହେଲେ ତାଙ୍କ କଥା ଲୋକେ ଶୁଣିଥାନ୍ତେ । ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀ ଥିଲେ । ଯଦି କେନ୍ଦ୍ରାପଡ଼ାରେ ସଂଖ୍ୟାଲଘୁମାନଙ୍କ ପାଇଁ କିଛି ସଂସ୍ଥା କରିଥାନ୍ତେ, ତା’ହେଲେ ଲୋକ ଶୁଣିଥାନ୍ତେ । ମହିଳା ଓ ଶିଶୁବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି । କିନ୍ତୁ କେନ୍ଦ୍ର ଅଙ୍ଗନବାଡ଼ି କର୍ମୀମାନଙ୍କୁ କେନ୍ଦ୍ର ଯାହା ଦଉଛି, ଆମେ ଚାରି ୪ ଗୁଣ ଦଉଛୁ । କେନ୍ଦ୍ରର ଡବଲ ଇଞ୍ଜିନ ଓ ନବୀନ ଇଞ୍ଜିନ ସରକାର ମଧ୍ୟରେ ତୁଳନାତ୍ମକ ଚିତ୍ର ରଖି, ପାଣ୍ଡିଆନ କହିଲେ ଯେ, ଅଙ୍ଗନବାଡ଼ି କର୍ମୀଙ୍କୁ କେନ୍ଦ୍ର ଦଉଛି ୨୭୦୦, ଆମେ ଦଉଛୁ ୧୦ ହଜାର, କେନ୍ଦ୍ର ଯୋଜନାରେ ଗର୍ଭବତୀ ମା’ମାନେ ୬ ହଜାର ଟଙ୍କା ପାଉଥିବା ବେଳେ, ଆମେ ଦଉଛୁ ୧୦ ହଜାର ଟଙ୍କା । ସାମାଜିକ ସୁରକ୍ଷା ଭତ୍ତା କେନ୍ଦ୍ର ଦଉଛି ମାତ୍ର ୩୦୦, ଆମେ ଦଉଛୁ ୧୦୦୦ ।

ବିରୋଧୀଙ୍କୁ ତୀବ୍ର ଆକ୍ରମଣ କରି ସେ କହିଲେ ଯେ, ନିର୍ବାଚନ ସମୟରେ ବିରୋଧୀମାନେ ଆସିବେ । ମିଠା ମିଠା କଥା କହିବେ, ମିଛ କଥା କହିବେ, ଅପପ୍ରଚାର କରିବେ, କୁମ୍ଭୀର କାନ୍ଦଣା କାନ୍ଦିବେ, ଆପଣମାନେ ସତର୍କ ରୁହନ୍ତୁ ।ସେମାନେ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦଉଛନ୍ତି । ତାଙ୍କୁ ଗାଳି ଦେଲେ ଚଳିବ । କିନ୍ତୁ ଓଡ଼ିଶାବାସୀଙ୍କ ପ୍ରିୟ ଜନନେତାଙ୍କୁ ଗାଳି ଦେଲେ ଆପଣମାନେ ସହିବେ କି ? ଆମେ ସମସ୍ତେ ଏକ ହୋଇ ଏହାର ମୁହଁତୋଡ଼ ଜବାବ ଦେବା ।

ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବେ ବୋଲି ସେମାନେ ଏବେ କହୁଛନ୍ତି । ୨୦୧୪ ର ପ୍ରତିଶ୍ରୁତି କୁଆଡ଼େ ଗଲା ? ୧୫ ଲକ୍ଷ ଟଙ୍କାର ପ୍ରତିଶ୍ରୁତି କଣ ହେଲା ବୋଲି ସେ ପ୍ରଶ୍ନ ପଚାରିଥିଲେ । ସେମାନେ କେବଳ ଭୋଟ ରାଜନୀତି କରୁଛନ୍ତି, ଆମ ମୁଖ୍ୟମନ୍ତ୍ରୀ ସେବା ମନୋଭାବରେ କାମ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଯେଉଁ ଯୋଗ୍ୟ ହିତାଧିକାରୀ ଘର ପାଇନାହାନ୍ତି, ରାସନକାର୍ଡ ପାଇନାହାନ୍ତି, ସେମାନଙ୍କୁ ଘର ଓ ରାସନକାର୍ଡ ମିଳିବ । କୋଭିଡ ସମୟରେ ପ୍ରତିଜୀବନ ମୁଲ୍ୟବାନ ନୀତିରେ ମୁଖ୍ୟମନ୍ତ୍ରୀ ବହୁ ଜୀବନ ବଞ୍ଚାଇଦେଲେ । ସାରା ଭାରତବର୍ଷରେ ସବୁଠୁ କମ୍‍ ମୃତ୍ୟୁ ଓଡ଼ିଶାରେ ହୋଇଥିଲା । ଆଗରୁ ବନ୍ୟା, ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିଲା, ଏବେ ଯାହା ଆସିଲେ ମଧ୍ୟ କିଛି ଅସୁବିଧା ନାହିଁ, ଆମ ପାଖରେ ନବୀନ ବାବୁ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଠିନ ପରିଶ୍ରମ ଆମ ସମସ୍ତଙ୍କ ପାଇଁ ପ୍ରେରଣା ।

ସ୍ଥାନୀୟ ନେତାମାନଙ୍କୁ ପ୍ରଶଂସା କରି ପାଣ୍ଡିଆନ କହିଲେ ଯେ, ବବିବାବୁ ଏ ଦଳ ଓ ରାଜ୍ୟ ପାଇଁ ବହୁତ ପରିଶ୍ରମ କରୁଛନ୍ତି । ବବିବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି । ମୁଖ୍ୟମନ୍ତ୍ରୀ ଯାଜପୁର ଓ ବବିବାବୁଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କ ବିଧାୟକ ଡାନୀ ବାବୁ ଆପଣଙ୍କ ଅଞ୍ଚଳର ଉନ୍ନତି ପାଇଁ ବହୁତ କାମ କରୁଛନ୍ତି, ଦିନରାତି ୨୪ ଘଣ୍ଟା ପରିଶ୍ରମ କରି ଆପଣମାନଙ୍କ ସେବା କରୁଛନ୍ତି । ସେ ପୁଣି କହିଥିଲେ ଯେ, ଆସ୍କାରେ ଗତଥର ମୁଖ୍ୟମନ୍ତ୍ରୀ ଜଣେ ମିଶନଶକ୍ତି ମା’ଙ୍କୁ ଲୋକସଭା ସାଂସଦ କରିଥିଲେ । ବବିବାବୁ ଜଣେ ମିଶନଶକ୍ତି ମା’ଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି । ନେତା ଯେମିତି, ସେନାପତି ସେମିତି ।

ବିଞ୍ଝାରପୁରରେ ସେ କହିଲେ ଯେ, ଏଠି ମାନ୍ୟବର ବାଚସ୍ପତି ମ୍ୟାଡାମ ଆପଣଙ୍କ ବିଧାୟିକା ପ୍ରାର୍ଥୀ, ସେ ଜଣେ ଦକ୍ଷ ଓ ଅଭିଜ୍ଞ ନେତ୍ରୀ, ବିକାଶ କାମ ଓ ଲୋକଙ୍କ କାମ କେମିତି କରିବାକୁ ହୁଏ ସେ ଭଲଭାବରେ ଜାଣିଛନ୍ତି ।

ବିଜେପି ୧୦ ପ୍ରତିଶତ ମଧ୍ୟ ମହିଳା ପ୍ରାର୍ଥୀ ଦେଇନାହାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତରୁ ଅଧିକ ମା’ମାନଙ୍କୁ ପ୍ରାର୍ଥୀ କରିଛନ୍ତି । ଏଠାରେ ଆପଣଙ୍କ ବିଧାନସଭା ଓ ଲୋକସଭା-ଉଭୟ ପ୍ରାର୍ଥୀ ହେଉଛନ୍ତି ‘ମା’ । ମା’ମାନଙ୍କ ଜୋରଦାର ଆଶୀର୍ବାଦରେ ସେମାନେ ବିପୁଳ ଭୋଟରେ ଜିତିବେ । ଆପଣମାନଙ୍କ ପାଇଁ ଏଠି ଦୁଇଜଣ ମା ଅଛନ୍ତି, ଆପଣଙ୍କ ସୁଖଦୁଃଖରେ ସବୁବେଳେ ରହିଛନ୍ତି । ବାଚସ୍ପତି ମ୍ୟାଡାମ ବନ୍ୟାବାତ୍ୟା ସମୟରେ ବହୁତ କାମ କରନ୍ତି, ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଦିନରାତି ଲାଗିଥାନ୍ତି ।

ସୁକିନ୍ଦାରେ ବିକାଶ କାମର ହିସାବ ଦେଇ ସେ କହିଲେ ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୧.୫ କୋଟି ଟଙ୍କା, ଦୁଇଟା ରେଲୱେ ଓଭରବ୍ରିଜ୍‍ ଓ ରେଙ୍ଗାଲି ଲେଫ୍ଟ କେନାଲ କରାଯାଇଛି । ଯଯାତିକେଶରୀ ମେଡିକାଲ କଲେଜ, ମା ବିରଜାଙ୍କ ମନ୍ଦିରର ରୂପାନ୍ତରଣ, ବୈତରଣୀରେ ଆଡ଼ିବନ୍ଧ ମୁଖ୍ୟମନ୍ତ୍ରୀ କରିଛନ୍ତି । ବରୁଣେଶ୍ୱର ମନ୍ଦିର ପାଇଁ ୭ କୋଟି, ନୟା ରାଜଘାଟ ୧.୫୦ କୋଟି, ପାଞ୍ଚଟି ମେଗାଲିଫ୍ଟ ଜରିଆରେ ଜଳ ସେଚନ ପାଇଁ ୨୦୦ କୋଟି, ୬ ଟି ସେତୁ ।

ବରୀରେ କଳାମାଟି ସହୀଦ ସ୍ମୃତି ପୀଠର ବିକାଶ ପାଇଁ ୪୦ ଲକ୍ଷ ଟଙ୍କା, ବରୀ ନିର୍ବାଚନ ମଣ୍ଡଳୀରେ ୫ଟି ବଡ଼ ସେତୁ ପାଇଁ ୨୦୦ କୋଟି ଟଙ୍କା ଏବଂ ଦୁଇଟି ଜଳସେଚନ ପ୍ରକଳ୍ପ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଯାଜପୁର ଜିଲ୍ଲାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ, ଯଯାତିକେଶରୀ ମେଡିକାଲ କଲେଜ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।
ବଡ଼ଚଣାରେ ସେ କହିଲେ ଯେ, ଚଣ୍ଡିଖୋଲକୁ ଏନ.ଏ.ସି. ମାନ୍ୟତା ଦିଆଯାଇଛି । ମହାବିନାୟକ ମନ୍ଦିର ରୂପାନ୍ତରଣ ପାଇଁ ୭.୭୦ କୋଟି ଟଙ୍କା ଦିଆଯାଇଛି । ଧର୍ମଶାଳରେ କହିଲେ ଜାରକାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯାଇଛି । ଗୋକର୍ଣ୍ଣେଶ୍ୱର ମନ୍ଦିର ପାଇଁ ୧.୫୦ କୋଟି ଟଙ୍କା ଦିଆଯାଇଛି ।

ଏ ସରକାର ଆପଣମାନଙ୍କ ସରକାର, ମା’ମାନଙ୍କ ସରକାର, ଚାଷୀ ଓ ଯୁବପିଢ଼ିର ସରକାର । ଯୁବପିଢ଼ିଙ୍କ ମାଧ୍ୟମରେ ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧି ବିଜେପି ନେତାମାନେ ଆସିବେ, ମିଠା ମିଠା କଥା କହିବେ, ମିଛ କଥା କହିବେ, ଅପପ୍ରଚାର କରିବେ । ଏମାନେ ବଡ଼ ବଡ଼ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ପାଇବେ ନାହିଁ । ଏମାନଙ୍କୁ ୨୦୧୯ରେ ଦେଖିଥିଲେ, ୨୦୨୪ ରେ ଦେଖୁଛନ୍ତି ଏବଂ ୨୦୨୯ରେ ପୁଣି ଦେଖିବେ, ଅନ୍ୟ ସମୟରେ ଦେଖିବେ ନାହିଁ ।

ଆପଣମାନଙ୍କ ଆଶୀର୍ବାଦରେ ଆମେ ବହୁ ଭୋଟରେ ଜିତିବୁ । ଆମେ ଲୋକଙ୍କ ଏମିତି ସେବା କରିବା । ଯେପରି ବିରୋଧୀ ଦଳ ଆଗାମୀ ଦିନରେ ନାମାଙ୍କନ କରିବା ପାଇଁ ମଧ୍ୟ ଡରିବେ ବୋଲି ପାଣ୍ଡିଆନ କହିଥିଲେ।