ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍ ହାର ୯୬ ଦଶମିକ ୦୭ ପ୍ରତିଶତ, ଝିଅଙ୍କ ପାସ୍ ହାର ଅଧିକ | News Room Odisha

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍ ହାର ୯୬ ଦଶମିକ ୦୭ ପ୍ରତିଶତ, ଝିଅଙ୍କ ପାସ୍ ହାର ଅଧିକ

କଟକ – ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ୯୬ ଦଶମିକ ୦୭ ପ୍ରତିଶତ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ସଭାପତି ଶ୍ରୀକାନ୍ତ ତରାଇ ଏହି ସୂଚନା ଦେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୫.୩୯ ପ୍ରତିଶତ ରହିଛି। ୨ ହଜାର ୬୪୪ଟି ସ୍କୁଲର ପାସ୍‌ହାର ଶତ ପ୍ରତିଶତ ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮ ପ୍ରତିଶତ ପାସ୍ ହାର ରହିଛି। ଜଗତସିଂହପୁରରେ ୯୭.୬%, କଟକରେ ୯୭.୫୮%, ସୁନ୍ଦରଗଡ଼ରେ ୯୭.୨୪%, ସୁବର୍ଣ୍ଣପୁରରେ ୯୭.୧୧% ପାସ୍ ହାର ରହିଛି। ନୂଆପଡ଼ା ଜିଲ୍ଲାରେ ସର୍ବନିମ୍ନ ୯୩ ଦଶମିକ ୯୧ ପ୍ରତିଶତ ପାସ୍ ହାର ରହିଛି। ପୂର୍ବାହ୍ନ ସାଢେ ୧୧ଟାରେ ବୋର୍ଡ ୱେବସାଇଟ www.bseodisha.ac.inରେ ପରୀକ୍ଷା ଫଳ ଉପଲବ୍ଧ ହେବ ।

ଇଣ୍ଟରନେଟ୍‌ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ଏସଏମଏସ୍‌ ଜରିଆରେ ମାଟ୍ରିକ୍ ପରୀକ୍ଷା ଫଳ ଜାଣିପାରିବେ। ଛାତ୍ରଛାତ୍ରୀମାନେ ମୋବାଇଲରୁ ଓଆର-୧୦ ଏବଂ ନିଜ ରୋଲ ନମ୍ବରକୁ ଟାଇପ କରି ୫୬୭୬୭୫୦ ନମ୍ବରକୁ ପଠାଇଲେ ପରୀକ୍ଷା ଫଳ ଜାଣିପାରିବେ।

ଅପରାହ୍ନ ୪ଟା ବେଳେ ଛାତ୍ରଛାତ୍ରୀମାନେ ନିଜ ନିଜର ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ୍‌ କରିପାରିବେ। ଏହା ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ। ସେହିପରି BSE/Hi ଟାଇପ୍ କରି ୭୭୧୦୦୫୮୧୯୨ରେ ହ୍ଵାଟ୍ସଆପ କରି ମଧ୍ୟ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ। ପରୀକ୍ଷାଫଳ ନେଇ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ବୋର୍ଡ ପକ୍ଷରୁ କରାଯାଇଥିବା କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିପାରିବେ। ଏଥିପାଇଁ ‘୮୭୬୩୪୪୬୨୯୨’ ଓ ‘୯୪୩୭୨୨୮୧୮୭’ ନମ୍ବରରେ ଫୋନ କଲେ ସେମାନଙ୍କୁ ସହଯୋଗ କରାଯିବ। ଏବର୍ଷ ଫେବ୍ରୁଆରି ୧୬ରୁ ମାର୍ଚ୍ଚ ୪ ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ହୋଇଥିଲା ।