କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: ନାଁ ନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ଟାର୍ଗେଟ | News Room Odisha

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: ନାଁ ନ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ଟାର୍ଗେଟ

କେନ୍ଦ୍ରାପଡା – କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନାଁ ନ ନେଇ ଜୋରଦାର ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଏକ ଜନସଭାରେ ନବୀନ କହିଛନ୍ତି ଯେ, ସେ କେନ୍ଦ୍ରାପଡାର ଜଣଙ୍କୁ ୧୦ ବର୍ଷ ସାଂସଦ କଲେ । ହେଲେ ସେ ନିଜ କମ୍ପାନୀକୁ ଲାଭ ଦେଇ ତାଙ୍କ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି ବୋଲି ବୈଜୟନ୍ତଙ୍କ ନାଁ ନ ନେଇ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥର ଯୋଡି ଶଙ୍ଖରେ ଭୋଟ ଦେଇ ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ନିର୍ବାଚନୀ ସଭାରେ ନିବେଦନ କରିଛନ୍ତି ନବୀନ ।

ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡା ପ୍ରତି ଥିବା ମୁଖ୍ୟମନ୍ତ୍ରୀଙ୍କ ସମର୍ପଣ ଭାବକୁ ଦର୍ଶାଇଛନ୍ତି । କେନ୍ଦ୍ରାପଡାରେ ବିଶ୍ବର ବୃହତ ଇଣ୍ଡଷ୍ଟ୍ରି ନିପନ ଷ୍ଟିଲ ପ୍ରତିଷ୍ଠା ପାଇଁ ନବୀନଙ୍କ ପ୍ରଚେଷ୍ଟା ସମ୍ପର୍କରେ କହିଥିଲେ ପାଣ୍ଡିଆନ । ୮ ଘଣ୍ଟା ଧରି କିଭଳି ନବୀନ ବିମାନରେ ଯାତ୍ରା କରି ଜାପାନରେ ପହଞ୍ଚିଥିଲେ ସେ ନେଇ ମଧ୍ୟ କେନ୍ଦ୍ରାପଡାରେ କହିଛନ୍ତି ପାଣ୍ଡିଆନ ।

ବୈଜୟନ୍ତଙ୍କ ନାଁ ନ ନେଇ ପାଣ୍ଡିଆନ କହିଥିଲେ ଯେ, ଯେ ସାଂସଦ ହେବା ପରେ ତାଙ୍କ ଘରୋଇ କମ୍ପାନୀର କେତେ ପରିମାଣର ଲାଭ ହୋଇଛି ? ପାର୍ଲାମେଣ୍ଟ ଫାଇନାନ୍ସ କମିଟିରେ ସଦସ୍ୟ ଥିବାବେଳେ ନିଜ କମ୍ପାନୀର ହଜାର ହଜାର ଟଙ୍କାର ଲୋନ୍‌ ଛାଡ କରିଥିଲେ । ନିଜ ପାଇଁ ରେଲୱେ ସାଇଡିଂ ଆଣି ପୂର୍ବତନ ସାଂସଦ କେନ୍ଦ୍ରାପଡାକୁ ଭୁଲିଗଲେ ବୋଲି ପାଣ୍ଡିଆନ କହିଛନ୍ତି। ତେବେ ପାର୍ଲାମେଣ୍ଟ ଫାଇନାନ୍ସର କମିଟିର ସଭାପତି ଦାୟିତ୍ବ ନ ମିଳିବା ପରେ ସେଥିପାଇଁ ସେ ରାଗ ରଖି ନବୀନଙ୍କୁ ନେଇ ଗୁଜବ ସୃଷ୍ଟି କଲେ । ନିଜ ଘରୋଇ ଟିଭି ଚ୍ୟାନେଲରେ ନବୀନ ଅସୁସ୍ଥତା ଥିବା ନେଇ ଖବର ପ୍ରସାରଣ କଲେ । ୨୦୧୫ ମସିହାରୁ ନବୀନ ଅସୁସ୍ଥ ଥିବା ନେଇ ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ପୂର୍ବତନ ସାଂସଦ ବୁଲି ବୁଲି କହିଥିଲେ ବୋଲି ପାଣ୍ଡିଆନ ସଭାକୁ ସମ୍ବୋଧନ କରି କହିଛନ୍ତି।