ଯଶୀପୁରରେ ନିର୍ବାଚନ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ, ଦେଲେ ମୁଖ୍ୟମନ୍ତ୍ରୀ କରିଥିବା ବିକାଶର ହିସାବ | News Room Odisha

ଯଶୀପୁରରେ ନିର୍ବାଚନ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ, ଦେଲେ ମୁଖ୍ୟମନ୍ତ୍ରୀ କରିଥିବା ବିକାଶର ହିସାବ

ଯଶୀପୁର – ଯଶୀପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ, ବହୁତ ନେତା ଅଛନ୍ତି ଯେଉଁମାନଙ୍କୁ ନିର୍ବାଚନ ଆସିଲେ ଲୋକଙ୍କ କଷ୍ଟ ମନେପଡ଼େ । ସେମାନେ ଆସିବେ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ସବୁବେଳେ ଲୋକଙ୍କ ପାଖକୁ ଆସୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।ବିଜୁ ଜନତା ଦଳ ଓ ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ ବୋଲି ପାଣ୍ଡିଆନ କହିଥିଲେ।
ଯଶୀପୁର ନିର୍ବାଚନ ମଣ୍ଡଳୀରେ ଖଇରିବନ୍ଧନ ଜଳସେଚନ ପ୍ରକଳ୍ପ ପାଇଁ ୩୩୭.୫୦ କୋଟି ଟଙ୍କା, ଶୁକ୍ରୁଳିରେ ଆଡ଼ିବନ୍ଧ ପାଇଁ ୧୭୦ କୋଟି, ମା କୀଚକେଶ୍ୱରୀ ମନ୍ଦିରର ରୂପାନ୍ତରିକରଣ ପାଇଁ ୮.୪୦ କୋଟି ଟଙ୍କା, କୀଚକେଶ୍ୱରୀ ମନ୍ଦିର ମ୍ୟୁଜିୟମ୍‍ ପାଇଁ ୧.୩୦ କୋଟି ଟଙ୍କା, କୁଡୁମୀ କମ୍ୟୁନିଟି ଭବନ ପାଇଁ ୨୫ ଲକ୍ଷ ଟଙ୍କା, ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା, ରରୁଁଆ କୁଡୁମୀ ଭବନ ପାଇଁ ୨୫ ଲକ୍ଷ ଟଙ୍କା, ହୋ କମ୍ୟୁନିଟି ସେଣ୍ଟର ପାଇଁ ୨୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି, ପ୍ରାୟ ସବୁ ସମାଜର କମ୍ୟୁନିଟି ସେଣ୍ଟର ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି ।

ଯଶୀପୁରରେ ଆମ ବସଷ୍ଟାଣ୍ଡ ପାଇଁ ୧୪.୫୦ କୋଟି ଟଙ୍କା, ରରୁଁଆ-ଫଗୁ ରାସ୍ତା ପାଇଁ ୫୦ କୋଟି ଟଙ୍କା, ସୁଲେଇପାଟ-ଝାଲଡୁଙ୍ଗୁରୀ ରାସ୍ତା ପାଇଁ ୩୫ କୋଟି, ଯଶୀପୁର-ରରୁଁଆ ରାସ୍ତା ପାଇଁ ୩୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

ଯଶୀପୁର, ରରୁଁଆ ଓ ଶୁକ୍ରୁଳୀ ବ୍ଲକରେ ଘରେ ଘରେ ପିଇବା ପାଣି ଯୋଗାଇ ଦେବା ପାଇଁ ୬୫୦ କୋଟି ଟଙ୍କା, ୧୩ ହଜାର ୫୦୦ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ଓ ଅଞ୍ଚଳର ୮ ଟି ସ୍କୁଲକୁ ୫-ଟିରେ ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଦିବାସୀ ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସବୁଠାରୁ ଭଲ ଜାଗାରେ ରଖିଛନ୍ତି । ସେମାନଙ୍କୁ ସେ ବହୁତ ଭଲ ପାଆନ୍ତି । ଆଦିବାସୀ କଳା, ସଂସ୍କୃତି, ପୂଜାସ୍ଥଳୀ ଓ ଜାଗିରାର ସୁରକ୍ଷା ଲାଗି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ଏଭଳି ପଦକ୍ଷେପ ସାରା ଭାରତବର୍ଷରେ ନବୀନ ବାବୁ କରିଛନ୍ତି ।ଅନ୍ୟ କୌଣସି ରାଜ୍ୟ କିମ୍ୱା ଦଳ କରିନାହାନ୍ତି ବୋଲି ପାଣ୍ଡିଆନ ଜନସଭାକୁ ସମ୍ବୋଧନ କରି କହିଛନ୍ତି।

ଆଦିବାସୀମାନଙ୍କ ଉପରୁ ଛୋଟ ବଡ଼ ୫୦ ହଜାର ପୋଲିସ କେଶ୍ ରଦ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ, ଯାହାଦ୍ୱାରା ସେମାନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ ।ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି ।ଏହି ଯୋଜନା ମାଧ୍ୟମରେ ଜଙ୍ଗଲଜାତ ଦ୍ରବ୍ୟ ଯଥା – ଶାଳମଞ୍ଜି, ଶାଳପତ୍ର, ମହୁଲ ଇତ୍ୟାଦିର ଉଚିତ ମୂଲ୍ୟ ସେମାନେ ପାଉଛନ୍ତି, ଠକାମିରେ ସେମାନେ ଆଉ ପଡୁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମା’ କୀଚକେଶ୍ୱରୀ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କ ପାଇଁ ବିଜୁଳି ବିଲ୍‍ ଛାଡ କରିବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇରେ ସମସ୍ତଙ୍କୁ ସାମିଲ କରିବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବେ ।

ଯଶୀପୁରରୁ ଆପଣ ଯାହାକୁ ଗତଥର ନିର୍ବାଚିତ କରିଥିଲେ, ସେ କେବେ ଆପଣଙ୍କ ପାଖକୁ ଆସି ତାଙ୍କ କାମର ହିସାବ ଦେଇଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । କିନ୍ତୁ ମୁଖ୍ୟମନ୍ତ୍ରୀ କାମର ହିସାବ ଦିଅନ୍ତି ।

ସୁଦାମ ବାବୁ ଓ ଚକ୍ରଧର ବାବୁଙ୍କୁ ଆଶୀର୍ବାଦ କରନ୍ତୁ । ଆପଣମାନଙ୍କ ଲାଗି ଓ ଆପଣଙ୍କ ସମାଜ ପାଇଁ ସେମାନେ ବହୁତ କାମ କରିବେ ବୋଲି କହି ଭୋଟ୍ ମାଗିଥିଲେ ପାଣ୍ଡିଆନ । କର୍ମୀ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟମାନଙ୍କୁ ଅନୁରୋଧ କଲେ ଆଉ ଦୁଇଦିନ ଲାଗିପଡ଼ନ୍ତୁ । ଶଙ୍ଖଚିହ୍ନ ପ୍ରତି ସମ୍ମାନ ଆଣନ୍ତୁ, ଅଞ୍ଚଳରେ ଉନ୍ନତି ଆଣନ୍ତୁ । ଯାହା ବି କାମ ଦରକାର ଆମେ କରିବୁ, ଆପଣମାନଙ୍କର ସାଥୀ ହୋଇ ରହିବୁ ବୋଲି ପାଣ୍ଡିଆନ କହିଥିଲେ।