କନ୍ଧମାଳ ଜିଲ୍ଲାରେ ମାଓ ଶକ୍ତିକୁ କ୍ଷୀଣ କରିପାରିଛି ପୋଲିସ | News Room Odisha

କନ୍ଧମାଳ ଜିଲ୍ଲାରେ ମାଓ ଶକ୍ତିକୁ କ୍ଷୀଣ କରିପାରିଛି ପୋଲିସ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓ ଦମନ ଅଭିଯାନରେ ଲଗାତାର ସଫଳତା ହାସଲ କରି ଆସୁଛି ପୋଲିସ ବାହିନୀ। ଲାଲ ବାହିନୀର ଶକ୍ତି କ୍ଷୀଣ ହେବା ସହ ହିଂସାକାଣ୍ଡ ହ୍ରାସ ପାଇଛି। ଫଳ ସ୍ବରୂପ ଗତ ଥରର‌ ସାଧାରଣ ନିର୍ବାଚନରେ ଏକ ପୋଲିଂ ଗାଡ଼ି ଉପରେ ଆକ୍ରମଣ କରି ଜଣେ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିଥିବା ମାଓବାଦୀମାନେ ଏଥର କୈାଣସି ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ମଧ୍ୟ ସମର୍ଥ ହୋଇପାରି ନାହାନ୍ତି। ଓଲଟି ସୁରକ୍ଷା ବାହିନୀକୁ ଲକ୍ଷ୍ୟ କରି ସେମାନେ ବାରମ୍ବାର ରକ୍ତପାତ ଘଟାଇବାକୁ ଉଦ୍ୟମ କରି ଆସିଥିଲେ ହେଁ ସଜାଗ ସୁରକ୍ଷା ବାହିନୀ ତାକୁ ପଣ୍ଡ କରି ଦେଇଛନ୍ତି। ଦୁଇ ଦିନ ବ୍ୟବଧାନରେ ଦୁଇଟି ସମ୍ଭାବ୍ୟ ମାଓ ହିଂସାକୁ ବିଫଳ କରିଦେଇଛି ପୋଲିସ ବାହିନୀ। ଏବେ ନିର୍ବାଚନ ପ୍ରକ୍ରିୟା ସରିବାକୁ ଥିବାବେଳେ ମାଓବାଦୀଙ୍କ ବଳ କମିଥିବା ସ୍ପଷ୍ଟ।

କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ଟିଫିନ୍ ବୋମା ସହିତ ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଥିଲା। ପୁଣି ଗୋଚ୍ଛାପଡା ଥାନା ଅନ୍ତର୍ଗତ ପାହିରେଜୁ ପଞ୍ଚାୟତ ତିଳକପଙ୍ଗା ଗାଁ ନିକଟ ଜଙ୍ଗଲରୁ ବିଏସ୍ଏଫ୍ ଦ୍ବାରା ଶକ୍ତିଶାଳୀ ଆଇଇଡି ଠାବ କରାଯାଇଥିଲା। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିବା ନେଇ ସୂଚନା ପାଇଥିଲା ବିଏସ୍ଏଫ୍ ଗୁଇନ୍ଦା ୟୁନିଟ୍। ପାହିରେଜୁ ଠାରେ କ୍ୟାମ୍ପ କରିଥିବା ୯୯ ବିଏସ୍ଏଫ୍ ବାହିନୀ ପକ୍ଷରୁ ସ୍ଥାନୀୟ ପୋଲିସ ସହାୟତାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖାଯାଇଥିବା ଆଇଇଡିକୁ ବୋମା ନିଷ୍କ୍ରିୟକାରୀ ଦଳ ନିଷ୍କ୍ରିୟ କରିଥିଲା। ଫଳରେ ଏକ ବଡ଼ ଧରଣର ବିପଦକୁ ଟାଳି ଦିଆଯାଇଥିଲା। ସମ୍ଭାବ୍ୟ ହିଂସାକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯିବା ସହ ଅପରେସନ୍ ଜୋରଦାର କରାଯାଇଥିବା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।

ସେହିପରି କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ନିକଟସ୍ଥ ଲାସେରୀ ସଂରକ୍ଷିତ ଜଙ୍ଗଲରେ କୋମ୍ବିଂ ଅପରେସନ୍ ବେଳେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଥିଲେ ଯବାନ। ଦୁଇଟି ଟିଫିନ୍ ବୋମା ସହ ବହୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷା ବାହିନୀ। କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଏସ୍ଓଜି, ସିଆରପିଏଫ୍ ଓ ଡିଭିଏଫ୍ ଯବାନ୍ କୋମ୍ବିଂ ଅପରେସନ୍ ଜାରି ରଖିଛନ୍ତି। କୋଟଗଡ଼ ଥାନା ଅଞ୍ଚଳରେ ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ ନେଇ ପୋଷ୍ଟର ମାରିଥିଲେ ମାଓବାଦୀ। ଯଦିଓ ତାହାର ବିଶେଷ ପ୍ରଭାବ ପଡି ନଥିଲା। ତେବେ ଦୁର୍ଗାପଙ୍ଗା ପଞ୍ଚାୟତର ବାଡ଼ିପଙ୍ଗା ଗାଁର ମେଟଲା ରଇତ ମାଝୀ ନାମକ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ପରେ ମାଓବାଦୀଙ୍କ ଦୁଇଟି ହିଂସା ଯୋଜନାକୁ ପଣ୍ଡ କରି ଦିଆଯାଇଛି।