ନିର୍ବାଚନ ବ୍ୟସ୍ତତାରୁ ମିଳିଲା ଫୁରସତ : ରାଜଧାନୀର ବହି ଦୋକାନରୁ ବହି କିଣିଲେ ମୁଖ୍ୟମନ୍ତ୍ରୀ, ନେଲେ ସେଲଫି | News Room Odisha

ନିର୍ବାଚନ ବ୍ୟସ୍ତତାରୁ ମିଳିଲା ଫୁରସତ : ରାଜଧାନୀର ବହି ଦୋକାନରୁ ବହି କିଣିଲେ ମୁଖ୍ୟମନ୍ତ୍ରୀ, ନେଲେ ସେଲଫି

ଭୁବନେଶ୍ୱର – ମାରାଥନ ନିର୍ବାଚନ ପ୍ରଚାରର ବ୍ୟସ୍ତତାରୁ ଶେଷରେ ଫୁରସତ ମିଳିଛି । ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି । ଏହା ପରେ ଜୁନ୍ ୪ ମତଗଣନାକୁ ଅପେକ୍ଷା। ନିର୍ବାଚନୀ ବ୍ୟସ୍ତତା ମଧ୍ୟରେ ମିଳିଥିବା ଟିକେ ଫୁରସତ ସମୟ ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ୍ ଡିପୋ ଯାଇ ଦୁଇଟି ପୁସ୍ତକ କିଣିଛନ୍ତି । ପୁସ୍ତକ ପ୍ରେମୀ ଭାବେ ପରିଚିତ ସାଧାରଣ ପାଠକ ଭାବେ ବହି ଦୋକାନକୁ ଯାଇ ନବୀନ ଦୁଇଟି ଇଂରାଜୀ ଭାଷାର ପୁସ୍ତକ କିଣିଥିଲେ।  ଜଣେ ସୁଲେଖକ ଭାବେ ବି ନବୀନ ଜଣାଶୁଣା । ଦ ଗାର୍ଡନ ଅଫ ଲାଇଫ, ଏ ସେକଣ୍ଡ ପାରାଡାଇଜ ଓ ଏ ଡେଜର୍ଟ କିଙ୍ଗଡମ ଭଳି ପୁସ୍ତକ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ବହି କିଣା ସାଙ୍ଗକୁ ସେଠାରେ ଉପସ୍ଥିତ ଲୋକଙ୍କ ସହ କଥା ହୋଇଥିଲେ ନବୀନ। ପିଲାଙ୍କ ସହ ସେଲଫି ନେବା ପରେ ପୁଣି ଫେରିଯାଇଥିଲେ ନବୀନ ନିବାସ। ସେପଟେ ଦୋକାନ ମାଲିକ କହିଛନ୍ତି- ପୂର୍ବରୁ ବିଜୁ ପଟ୍ଟନାୟକ ବି ଏହି ଷ୍ଟୋରକୁ ଆସିଥିଲେ। ମୁଖ୍ଯମନ୍ତ୍ରୀ ନବୀନ ଅଢେଇ ହଜାର ଟଙ୍କାର ପୁସ୍ତକ କିଣିଥିବା ସେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବି ଥିଲେ ।