ଆଜିଠୁ ଯୁକ୍ତ ତିନି ନାମଲେଖା ଆବେଦନ ପ୍ରକ୍ରିୟା | News Room Odisha

ଆଜିଠୁ ଯୁକ୍ତ ତିନି ନାମଲେଖା ଆବେଦନ ପ୍ରକ୍ରିୟା

ଭୁବନେଶ୍ବର – ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନିରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଚଳିତ ବର୍ଷ ୧୦କି ଶିକ୍ଷାନୁଷ୍ଠାନରେ ନାମଲେଖା ଉପରେ କଟକଣା ଲଗାଯାଇଥିବାବେଳେ ଆସନ ସଂଖ୍ୟା ବୃଦ୍ଧି ପାଇଛି। ଗତ ଶିକ୍ଷାବର୍ଷରେ ୧ ଲକ୍ଷ ୨୧ ହଜାର ୯୬୫ ଆସନ ଖାଲି ରହିଥିଲା। ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ସଂଖ୍ୟା କମିଛି। ଏଥର ୧୦୩୭ ମହାବିଦ୍ୟାଳୟରେ ନାମ ଲେଖାଯିବ। ନିୟମିତ ପାଠ୍ୟକ୍ରମ ସହ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ମଧ୍ୟ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛି।

୨୦୨୪-୨୫ ଶିକ୍ଷାବର୍ଷରେ ମୋଟ ୧୦୩୭ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ନାମଲେଖାଯିବ। କଳା, ବାଣିଜ୍ୟ, ବିଜ୍ଞାନ, ସେଲ୍ଫ ଫାଇନାନ୍ସ କୋର୍ସ ସହ ସଂସ୍କୃତ ପାଠ୍ୟକ୍ରମ ପାଇଁ ମୋଟ ୨ ଲକ୍ଷ ୭୨ ହଜାର ୭୦୩ ଆସନ ଚୂଡ଼ାନ୍ତ ହୋଇଛି। କଳା ପାଠ୍ୟକ୍ରମରେ ସର୍ବାଧିକ ୧ ଲକ୍ଷ ୫୩ ହଜାର ୧ ଶହ ଆସନ ରହିଛି। www.samsodisha.gov.inରେ ଲଗଇନ୍‌ କରି ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜୁନ୍‌ ୧୭ ହେଉଛି ନାମଲେଖା ଆବେଦନର ଶେଷ ତାରିଖ।

୧୮ ଓ ୧୯ ଦୁଇ ଦିନ ଧରି ଆବେଦନକାରୀ ଆବେଦନପତ୍ରରେ ତ୍ରୁଟି ଥିଲେ ଅନ୍‌ଲାଇନ୍‌ ଜରିଆରେ ସଂଶୋଧନ କରିପାରିବେ। ଜୁନ୍‌ ୨୫ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ।