ବିପ୍ଳବୀ ସହିଦ୍ ବିର୍ସା ମୁଣ୍ଡା | News Room Odisha

ବିପ୍ଳବୀ ସହିଦ୍ ବିର୍ସା ମୁଣ୍ଡା

(ତିରୋଧାନ ଦିବସ ଅବସରରେ ବୀର ସହିଦ୍ ଙ୍କୁ ଶଦ୍ଧାଞ୍ଜଳି)

ଭାରତର ସ୍ବାଧୀନତା ସଂଗ୍ରାମ ପାଇଁ ବିପ୍ଳବୀ ସହୀଦ୍ ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ। ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୂର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଳବର ସ୍ୱର ଝଙ୍କୃତ ହୋଇଥିଲା, ‘ଆବୁଆ ରାଜ ଏଟେଏ ଯାନା, ମହାରାଣୀ ରାଜ ତୁଣ୍ଡୁ ଯାନା’ (ଏହାର ଅର୍ଥ- ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ), ତାହାହିଁ ଥିଲା ଇଂରେଜମାନଙ୍କ ବିରୁଦ୍ଧରେ ପ୍ରତିବାଦର ପ୍ରତିଫଳନ। ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ବିର୍ସା ମୁଣ୍ଡା। ୧୮୭୫ ମସିହା ଆଜିର ଦିନରେ ବିର୍ସା ମୁଣ୍ଡା ଅଧୁନା ଝାଡ଼ଖଣ୍ଡ ରାଜ୍ୟର ଖୁଣ୍ଟି ଜିଲ୍ଲା ପୋଡ଼ାହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ସୁଗନା ମୁଣ୍ଡା ଓ ମାତାଙ୍କ ନାମ ଥିଲା କରମୀ ମୁଣ୍ଡା। ବିର୍ସା ମୁଣ୍ଡାଙ୍କର ବାଲ୍ୟଶିକ୍ଷା ସାଲଗାଠାରେ ଆରମ୍ଭ ହୋଇଥିଲା।

ଚାଇଁବସା ମିଶନ୍ ସ୍କୁଲରେ ପଢୁଥିଲାବେଳେ ଗୋରା ପ୍ରଧାନଶିକ୍ଷକ ଆକ୍ରୋଶମୂଳକ ଭାବେ ବିର୍ସାଙ୍କୁ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିଷ୍କାର କରି ଦେଇଥିଲେ। ସେବେଠାରୁ ପାଠପଢ଼ା ଛାଡ଼ି ବ୍ରିଟିଶ୍ ଶାସନରୁ ଓଡ଼ିଶାକୁ ମୁକ୍ତ କରିବାକୁ ସେ ଲାଗିପଡ଼ିଥିଲେ। ଏଥିପାଇଁ ସ୍ଥାନୀୟ ଆଦିବାସୀଙ୍କୁ ସେ ଏକାଠି କରିଥିଲେ। ଏହି କାରଣରୁ ତାଙ୍କୁ ଦେଶଦ୍ରୋହ ଅପରାଧରେ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀଙ୍କୁ ମୁକ୍ତ କରି ଦିଆଯାଇଥିଲା। ଏମିତିରେ ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ। ତାଙ୍କ ଆହ୍ୱାନରେ ଶହ ଶହ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍ରେ ନିଆଁ ଲଗାଇଦେଲେ।

ସେମାନେ ସିଂହଭୂମି ଜିଲ୍ଲାର ପୋରହାଟରେ ଅଗ୍ନିକାଣ୍ଡ ଘଟାଇଥିଲେ। ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ଭିତରୁ ୧୨ଜଣ ସହୀଦ ହୋଇଥିଲେ। ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ତାଙ୍କର ସନ୍ଧାନ ନେବାପାଇଁ କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ ପଠାଗଲା। ବିର୍ସାଙ୍କର ମୁଖ୍ୟ ସହକର୍ମୀ ଗୟା ମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ୧୯୦୦ ମସିହା ଜାନୁଆରୀ ୧୫ ତାରିଖରେ ଦୁଇଜଣ କନେଷ୍ଟବଳଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେଇ ମିଃ ଷ୍ଟ୍ରିଟ୍ ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ସହାୟତାରେ ଗୟା ମୁଣ୍ଡାଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ଭୀଷଣ ଅସ୍ତ୍ରାଘାତରେ ସେ ମୃତ୍ୟୁ ବରଣ କରିଥିଲେ।
ଏହା ପରେ ବିର୍ସାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦମନଲୀଳାର ମୁଖ୍ୟକେନ୍ଦ୍ର ଖୁଣ୍ଟିଥାନାରେ ନିଆଁ ଲଗାଇଦେଲେ, କନେଷ୍ଟବଳ ରଘୁରାମକୁ ହତ୍ୟାକଲେ ଓ ଅନ୍ୟ ପୁଲିସ୍ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏହାର ଜବାବରେ ୩୦୦ ଫୁଟ ଉଚ୍ଚା ଡୋମ୍ବରି ପାହାଡ଼, ଯେଉଁଠି ବିର୍ସା ଓ ତାଙ୍କ ସହକର୍ମୀ ନରସିଂହ ଅନ୍ୟ ସଂଗ୍ରାମୀମାନଙ୍କୁ ଉଦ୍ବୋଧନ ଦେଉଥିଲେ, ତାକୁ ଘେରିଗଲେ ଓ ଆତ୍ମସମର୍ପଣ କରିବାପାଇଁ ଘୋଷଣା କଲେ। ବିଦ୍ରୋହୀମାନେ ଏଥିରେ ରାଜି ନ ହୋଇ ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥର ଦ୍ୱାରା ଇଂରେଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଏହାର ଜବାବରେ ଇଂରେଜମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ନରସିଂହ ମୁଣ୍ଡାଙ୍କ ସମେତ ଦୁଇଶହ ବିଦ୍ରୋହୀ ଶହୀଦ ହୋଇ ଯାଇଥିଲେ। ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମଗୋପନ ପାଇଁ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ।

ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ଓଡ଼ିଶା ଛାଡ଼ି ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। କେତେଜଣ ବିଶ୍ବାସଘାତକଙ୍କ ପାଇଁ ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ଇଂରେଜ ସରକାର ତାଙ୍କୁ ଗିରଫକରି ରାଞ୍ଚି ଜେଲ୍ କୁ ପଠାଇ ଦେଲେ।।

ଏହାଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ। ତେଣୁ ସୁରକ୍ଷା କାରଣରୁ ତାଙ୍କୁ ହଜାରିବାଗ ଜେଲ୍କୁ ସ୍ଥାନାନ୍ତର କରାଗଲା। ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିବା କାରଣରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍କୁ ଅଣାଗଲା। ସେଠାରେ ତାଙ୍କ ପାଦରେ କଡ଼ା ପିନ୍ଧାଇ ଦିଆଯାଇଥିଲା, ଅନେକ ପ୍ରକାରର ନିର୍ଯାତନା ଦିଆଯାଉଥିଲା ଓ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା। ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍ରେ କଲବଲ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ଦିନ ଶେଷନିଃଶ୍ୱାସ ତ୍ୟାଗକଲେ।