ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଭୁବନେଶ୍ୱର କଡ଼ା ସୁରକ୍ଷା ସହ ଟ୍ରାଫିକ କଟକଣା ଜାରି | News Room Odisha

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଭୁବନେଶ୍ୱର କଡ଼ା ସୁରକ୍ଷା ସହ ଟ୍ରାଫିକ କଟକଣା ଜାରି

ଭୁବନେଶ୍ୱର – ଆସନ୍ତାକାଲି ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଜନତା ମଇଦାନରେ ହେବ ଶପଥ ଗ୍ରହଣ ସମାରୋହ । ଏଥିରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଯୋଗ ଦେବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜାରି ହୋଇଛି ଟ୍ରାଫିକ କଟକଣା । ଆସନ୍ତାକାଲି ଅପରାହ୍ନ ୨ଟାରୁ ରାତି ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ ମନା। କେବଳ ଗାଡ଼ି ପାସ୍‌ ଥିବା ବ୍ୟକ୍ତି ସଭା ସ୍ଥଳକୁ ଯାଇ ପାରିବେ। ଅନ୍ୟମାନେ ବିକଳ୍ପ ରାସ୍ତା ବ୍ୟବହାର କରି ପାରିବେ। ଜୟଦେବ ବିହାରରୁ ନାଲକୋ ଛକ ଓ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯାତାୟତ କରିପାରିବ ନାହିଁ। କଟକ, ଖୋର୍ଦ୍ଧା, ନନ୍ଦନକାନନ ପଟରୁ ଜୟଦେବ ବିହାର ଓ ନାଲକୋ ଛକ ଆସୁଥିବା ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଭୁବନେଶ୍ୱର ଆସୁଥିବାକୁ କଡ଼ା କଟକଣା ଜାରି କରିଛି କମିଶନରେଟ ପୋଲିସ।