ନ୍ୟୁଜିଲ୍ୟାଣ୍ଡକୁ ହରାଇ ସୁପର ୮ରେ ୱେଷ୍ଟଇଣ୍ଡିଜ୍ | News Room Odisha

ନ୍ୟୁଜିଲ୍ୟାଣ୍ଡକୁ ହରାଇ ସୁପର ୮ରେ ୱେଷ୍ଟଇଣ୍ଡିଜ୍

ତୋରୁବା (ତ୍ରିନିଦାଦ ଏଣ୍ଡ୍ ଟବାଗୋ): ସେରଫେନ୍ ରଦରଫୋର୍ଡଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଏବଂ ଅଲଜାରୀ ଜୋସେଫ ଓ ଗୁଦାକେଶ ମୋତିଙ୍କ ଚମତ୍କାର ବୋଲିଂ ବଳରେ ୱେଷ୍ଟଇଣ୍ଡିଜ୍ ଗୁରୁବାର ଟି-୨୦ ବିଶ୍ୱକପ୍ ଗ୍ରୁପ୍ ସି ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ୧୩ ରନରେ ହରାଇ ସୁପର ୮ରେ ପ୍ରବେଶ କରିଛି। ଏହି ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବା ଆଶା ମଉଳି ଯାଇଛି ।

ୱେଷ୍ଟଇଣ୍ଡିଜର ଏହା କ୍ରମାଗତ ତୃତୀୟ ବିଜୟ । ଏଥିସହ ଦଳ ୬ ପଏଣ୍ଟ ସହ ଗ୍ରୁପ୍ ସି’ର ଶୀର୍ଷରେ ପହଞ୍ଚିଛି। ପୂର୍ବତନ ରନର୍ସ ଅପ୍ ନ୍ୟୁଜିଲାଣ୍ଡ ତଥା ଗତଥର ସେମିଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲ୍ୟାଣ୍ଡର ଏହା ଲଗାତାର ଦ୍ୱିତୀୟ ପରାଜୟ । ଦଳ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଠାରୁ ୮୪ ରନରେ ହାରିଯାଇଥିଲା ।

ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ୱେଷ୍ଟଇଣ୍ଡିଜ୍ ଭଲ ଆରମ୍ଭ କରିନଥିଲା ଏବଂ । ଓ୍ବେଷ୍ଟଇଣ୍ଡିଜ ଏକଦା ୧୩ ଓଭରରେ ୭ ୱିକେଟ୍ ହରାଇ ୭୬ ରନ୍ କରିଥିଲା। ତେବେ ରଦରଫୋର୍ଡଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଦଳ ଏକ ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ରଦରଫୋର୍ଡ ୩୯ ବଲରେ ୬୮ ରନର ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ଦୁଇଟି ଚୌକା ଓ ୬ଟି ଛକା ସାମିଲ ଥିଲା। ତାଙ୍କ ଇନିଂସ ସହାୟତାରେ ୱେଷ୍ଟଇଣ୍ଡିଜ୍ ୯ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା।

ଆଫଗାନିସ୍ତାନ ବିପକ୍ଷ ଗତ ମ୍ୟାଚରେ ୭୫ ରନରେ ଆଉଟ୍ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୧୫୦ ରନର ବିଜୟ ଲକ୍ଷ୍ୟ ଜବାବରେ କେବଳ ୯ ୱିକେଟ୍ ବିନିମୟରେ ୧୩୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୪୦ ରନ୍ କରିଥିଲେ।

ୱେଷ୍ଟଇଣ୍ଡିଜ୍ ତରଫରୁ ଜୋସେଫ୍ ୧୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିବାବେଳେ ଗୁଦାକେଶ ମୋତି ୨୫ ରନ୍ ବ୍ୟୟ କରି ୩ଟି ୱିକେଟ୍ ନେଇଥିଲେ।

ଗତ ତିନିଟି ଦିନିକିଆ ବିଶ୍ୱକପ ଏବଂ ଅନେକ ଟି-୨୦ ବିଶ୍ୱକପ୍‌ରେ ଅନ୍ତତଃ ସେମିଫାଇନାଲ ଖେଳିଥିବା ନ୍ୟୁଜିଲ୍ୟାଣ୍ଡ ଦଳ କିନ୍ତୁ ଏଥର ବ୍ୟାଟ୍ସମ୍ୟାନଙ୍କ ନିରାଶାଜନକ ପ୍ରଦର୍ଶନ ଯୋଗୁଁ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହେବା‌ ଦ୍ୱାରଦେଶରେ ପହଞ୍ଚିଛି।

ଅନ୍ୟପକ୍ଷରେ ଦୁଇଥର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ ୨୦୨୧ରେ ସୁପର ୧୨ରୁ ବାହାରେ ହୋଇଥିବାବେଳେ ୨୦୨୨ରେ ଗ୍ରୁପ୍ ପର୍ଯ୍ୟାୟରୁ ଆଗକୁ ବଢ଼ି ପାରି ନଥିଲା ।