ବିଜେପି ସରକାରର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଅର୍ଥ ଓ ଗୃହ ମନ୍ତ୍ରାଳୟ ରଖିଲେ ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନଙ୍କୁ କୃଷି, ପ୍ରଭାତୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ | News Room Odisha

ବିଜେପି ସରକାରର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଅର୍ଥ ଓ ଗୃହ ମନ୍ତ୍ରାଳୟ ରଖିଲେ ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନଙ୍କୁ କୃଷି, ପ୍ରଭାତୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ

ଭୁବନେଶ୍ୱର – ରାଜ୍ୟରେ ନୂଆ ବିଜେପି ସରକାର ଶପଥ ନେବାର ଦୁଇ ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ହାତରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ମନ୍ତ୍ରାଳୟ ରଖିଛନ୍ତି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ମନ୍ତ୍ରାଳୟ ମିଳିଛି। ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମିଳିଛି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରାଳୟ।

କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ସୁରେଶ ପୂଜାରୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ପାଇଛନ୍ତି । ରବି ନାରାୟଣ ନାଏକଙ୍କୁ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରାଳୟ ଦିଆଯାଇଛି। ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ ଓ ଗଣଶିକ୍ଷା, ଏସସି, ଏସଟି ଓ ସଂଖ୍ୟାଲଘୁ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରାଳୟ ମିଳିଛି ‌। କୃଷ୍ଣଚନ୍ଦ୍ର ପାତ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ହୋଇଛନ୍ତି। ପୃଥ୍ବୀରାଜ ହରିଚନ୍ଦନଙ୍କୁ ମିଳିଛି ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରାଳୟ । ଡକ୍ଟର ମୁକେଶ ମହାଲିଙ୍ଗ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ହୋଇଛନ୍ତି। ବିଭୂତି ଭୂଷଣ ଜେନାଙ୍କୁ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରାଳୟ ମିଳିଛି। କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ଓ ସହର ବିକାଶ ମନ୍ତ୍ରୀ ହୋଇଛନ୍ତି।

ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ ଦାୟିତ୍ବ)ଙ୍କ ମଧ୍ୟରୁ ଗଣେଶ ରାମ ସିଂ ଖୁଣ୍ଟିଆ-ଜଙ୍ଗଲ ଓ ପରିବେଶ ଏବଂ ଶ୍ରମ ମନ୍ତ୍ରୀ ହୋଇଛନ୍ତି। ସୂର୍ଯ୍ୟବଂଶୀ ସୂରଜ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ହୋଇଛନ୍ତି। ପ୍ରଦୀପ ବଳସାମନ୍ତ ସମବାୟ ଓ ବୟନ ଶିଳ୍ପ ମନ୍ତ୍ରାଳୟ ସମ୍ଭାଳିବେ । ଗୋକାଳୁନନ୍ଦ ମଲ୍ଲିକ ମତ୍ସ୍ୟ ଓ ପଶୁ ସମ୍ପଦ ଓ ସମ୍ପଦ ଚନ୍ଦ୍ର ସ୍ୱାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ହୋଇଛନ୍ତି।