କାଲିଠାରୁ ୨ ଦିନ ଧରି ନୂଆ ବିଧାୟକମାନଙ୍କ ଶପଥ, ୨୦ରେ ନୂଆ ବାଚସ୍ପତି ନିର୍ବାଚନ | News Room Odisha

କାଲିଠାରୁ ୨ ଦିନ ଧରି ନୂଆ ବିଧାୟକମାନଙ୍କ ଶପଥ, ୨୦ରେ ନୂଆ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର – ଆସନ୍ତାକାଲି ଓ ୧୯ ତାରିଖରେ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନେ ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ଭାବେ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ୮ ଥରର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନୂଆ ବିଧାୟକମାନଙ୍କୁ ଶପଥ ପାଠ କରାଇବେ । ଏହାପରେ ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ନିର୍ବାଚନ କରାଯିବ ।
ବିଧାନସଭାର ବିଶେଷ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ।ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ବିଭାଗ ଆଇଜି ଅନୁପ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳ ପୋଲିସ ଛାଉଣୀ ହେବ। ୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟ କାରୀ ଦଳ, କ୍ୟୁଏଟି, ଡଗ ସ୍କ୍ୱାର୍ଡ, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ କଡ଼ା ନଜର ରଖିବେ। ସୁରକ୍ଷାକୁ ଅଧିକ କଡାକଡି କରିବା ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଆହୋରାତ୍ର ଜଗିବେ। ବିଧାନସଭା ଛାତ ଉପରେ ରୁଫ୍ ଟପ୍ ପୋଲିସ ରହିବେ।