ଟି-୨୦ ବିଶ୍ୱକପ୍‌: ନିକୋଲାସ୍ ପୁରାନଙ୍କ ବିସ୍ଫୋରକ ଇନିଂସ୍, ଆଫଗାନିସ୍ତାନକୁ ୧୦୪ ରନରେ ହରାଇଲା ୱେଷ୍ଟଇଣ୍ଡିଜ୍ | News Room Odisha

ଟି-୨୦ ବିଶ୍ୱକପ୍‌: ନିକୋଲାସ୍ ପୁରାନଙ୍କ ବିସ୍ଫୋରକ ଇନିଂସ୍, ଆଫଗାନିସ୍ତାନକୁ ୧୦୪ ରନରେ ହରାଇଲା ୱେଷ୍ଟଇଣ୍ଡିଜ୍

ଗ୍ରୋସ୍ ଆଇଲେଟ୍ (ସେଣ୍ଟ୍ ଲୁସିଆ): ନିକୋଲାସ୍ ପୁରାନଙ୍କ ବିସ୍ଫୋରକ ଇନିଂସ୍ ବଳରେ ଟି-୨୦ ବିଶ୍ୱକପ୍‌ର ଅନ୍ତିମ ଗ୍ରୁପ୍‌ ସି ମ୍ୟାଚ୍‌ରେ ମଙ୍ଗଳବାର ୱେଷ୍ଟଇଣ୍ଡିଜ୍ ଆଫଗାନିସ୍ତାନକୁ ୧୦୪ ରନରେ ମାତ୍ ଦେଇଛି।

ଓ୍ବେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ପୂର୍ବରୁ ସୁପର-୮ରେ ନିଜ ସ୍ଥାନ ନିଶ୍ଚିତ କରିସାରିଥିବା ବେଳେ ଏହି ମ୍ୟାଚ୍ ଗ୍ରୁପ୍ ଟପ୍ପର ହେବା ପାଇଁ ଉଭୟ ଦଳ ମଧ୍ୟରେ ମୁକାବିଲା ଥିଲା। ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ହେଲେ ତାଙ୍କର ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଦୁଇଥର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ ୫ ୱିକେଟ୍ ବିନିମୟରେ ୨୧୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ପୁରାନ୍ ୫୩ ବଲରେ ୯୮ ରନର ଧୂଆଁଧାର ପାଳି ଖେଳିଥିଲେ, ଯେଉଁଥିରେ ୬ଟି ଚୌକା ଓ ୮ଟି ଛକା ସାମିଲ ଥିଲା।

ଏହାର ଜବାବରେ ଆଫଗାନିସ୍ତାନ ଦଳ ୧୬.୨ ଓଭରରେ ମାତ୍ର ୧୧୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଇବ୍ରାହିମ ଜାଦ୍ରାନ୍ ସର୍ବାଧିକ ୩୮ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ତରଫରୁ ଓବେଡ ମ୍ୟାକକୋ ୧୪ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିବା ବେଳେ ଅକିଲ ହୁସେନ୍ ୨୧ ରନରେ ଦୁଇଟି ୱିକେଟ୍ ଏବଂ ଗୁଦାକେଶ ମୋତି ୨୮ ରନ୍ ବ୍ୟୟ କରି ଦୁଇଟି ୱିକେଟ୍ ହାତେଇଥିଲେ ।

ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ପୁରାନଙ୍କ ବ୍ୟତୀତ ଓପନର୍ ଜନସନ ଚାର୍ଲ୍ସ (୪୩), ଶାଇ ହୋପ୍ (୨୫) ଏବଂ ପାୱେଲ (୨୬) ରନର ଉପଯୋଗୀ ଅବଦାନ ଦେଇଥିଲେ। ଆଫଗାନିସ୍ତାନରୁ ଗୁଲବାଦ୍ଦିନ ନାଏବ ସବୁଠାରୁ ସଫଳ ବୋଲର ଥିଲେ। ସେ ତାଙ୍କ ଦୁଇ ଓଭରରେ ୧୪ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।