ଗଞ୍ଜାମରେ ଖୋଲିବ ରାଜ୍ୟର ଦ୍ବିତୀୟ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା ୟୁନିଟ୍ | News Room Odisha

ଗଞ୍ଜାମରେ ଖୋଲିବ ରାଜ୍ୟର ଦ୍ବିତୀୟ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା ୟୁନିଟ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ରାଜ୍ୟର ଦ୍ବିତୀୟ ଆଦର୍ଶ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଗବେଷଣା ୟୁନିଟ୍ (ଏମ୍ଆରଏଚ୍ଆରୟୁ) ଖୋଲିବାକୁ ଯାଉଛି। ପ୍ରାଥମିକ ଭାବେ ରୁରାଲ୍ ବାର୍ଥ କୋହର୍ଟ ରିସର୍ଚ୍ଚ ୟୁନିଟ୍ ଆରମ୍ଭ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଏମ୍ଆରଏଚ୍ଆରୟୁ ଭାବେ ବିକଶିତ କରାଯିବ। ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ କୋଠାରେ ଏହା କାର୍ଯ୍ୟକାରୀ ହେବ। କଟକ ଜିଲ୍ଲାରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ତରଫରୁ ଏକ ୟୁନିଟ୍ ପରେ ଶେରଗଡରେ ହେବ ରାଜ୍ୟର ଦ୍ବିତୀୟ ଏଭଳି କେନ୍ଦ୍ର। ସୁରକ୍ଷିତ ମାତୃତ୍ଵ, ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଯତ୍ନ ବାବଦରେ ଏଠାରେ ଗବେଷଣା କରାଯିବ। ୬ ବର୍ଷ ପାଇଁ ଏହି ୟୁନିଟ୍ କାର୍ଯ୍ୟ କରିବ। ପ୍ରାଥମିକ ଭାବେ ଶେରଗଡ଼ ଓ ଦିଗପହଣ୍ଡି ବ୍ଲକକୁ ନେଇ ପାଇଲଟ୍ ପ୍ରୋଜେକ୍ଟ କାର୍ଯ୍ୟ କରିବ ଯାହା ପରେ ଅନ୍ୟ ବ୍ଲକକୁ ସମ୍ପ୍ରସାରିତ ହେବ।

ଗର୍ଭବତୀଙ୍କ ରକ୍ତ ପରୀକ୍ଷା, ସେମାନଙ୍କ ଶରୀରରେ କଣ ସ୍ଵାସ୍ଥ୍ୟଗତ ସମସ୍ୟା ରହୁଛି ତାହାର ଅନୁଧ୍ୟାନ କରିବା, ଶିଶୁ ଜନ୍ମ ଠାରୁ ୫ ବର୍ଷ ହେବା ପର୍ଯ୍ୟନ୍ତ ସେମାନେ କେଉଁ ରୋଗରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ଶରୀରରେ କେଉଁ ବ୍ୟାକ୍ଟେରିଆ ଦେଖିବାକୁ ମିଳୁଛି ସେ ବାବଦରେ ଗବେଷଣା କରାଯିବ। ଏଥିପାଇଁ ଏବେ ଥିବା ୮ ଜଣ ଗବେଷକଙ୍କ ସଂଖ୍ୟା ଆଗକୁ ବୃଦ୍ଧି କରାଯିବ। ଗ୍ରାମାଞ୍ଚଳରେ ଆଧୁନିକ ସ୍ବାସ୍ଥ୍ୟ ସେବା ଯୋଗାଣ, ସ୍ବାସ୍ଥ୍ୟ ସମ୍ପର୍କିତ ଗବେଷଣା, ସ୍ବାସ୍ଥ୍ୟ ସେବା ଯୋଗାଣକାରୀ ସଂସ୍ଥା ଓ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ରକ୍ଷା, ସ୍ଥାନୀୟ ଅଞ୍ଚଳରେ ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା ଉପଲବ୍ଧ କରାଇବା ଦିଗରେ କାମ କରିବ ଏହି କେନ୍ଦ୍ର। ଆମ ରାଜ୍ୟରେ ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ୧୧୯ ମାଆ ଓ ୩୬ ଜଣ ଶିଶୁଙ୍କ ମୃତ୍ୟୁ ଘଟୁଥିବା ସାମ୍ପଲ୍ ରିସର୍ଚ୍ଚ ସର୍ଭେ ରିପୋର୍ଟରୁ ଜଣାପଡ଼େ। ଏହି ମୃତ୍ୟୁ ହାର ହ୍ରାସ କରିବା ଦିଗରେ ସ୍ବାସ୍ଥ୍ୟ ବିଭାଗ ପ୍ରୟାସ କରୁଛି। ଶେରଗଡ଼ରେ ଦ୍ବିତୀୟ ଏମ୍ଆରଏଚ୍ଆରୟୁ ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ।

ଏ ମଧ୍ୟରେ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ନେଇ ଆଇସିଏମ୍ଆର୍ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଏଡିପିଏଚ୍ଓ (ପରିବାର କଲ୍ୟାଣ) ଡ଼ା. ସରୋଜିନୀ ଦେବୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିକାଟୁ ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ୟୁନିଟ୍ ରାଜ୍ୟର ସ୍ବାସ୍ଥ୍ୟ ସେବା ଦିଗରେ ଆଉ ଏକ ବଳିଷ୍ଠ ପଦକ୍ଷେପ ପ୍ରମାଣିତ ହେବାକୁ ଯାଉଛି।