ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡାନ୍ତ: ଦିନ ଗୋଟାଏ ୧୦ରେ ପହଣ୍ଡି, ଅପରାହ୍ନ ୫ଟାରେ ରଥ ଟଣା | News Room Odisha

ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡାନ୍ତ: ଦିନ ଗୋଟାଏ ୧୦ରେ ପହଣ୍ଡି, ଅପରାହ୍ନ ୫ଟାରେ ରଥ ଟଣା

ପୁରୀ – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଏ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଅନୁଯାୟୀ ମହାପ୍ରଭୁଙ୍କ ଘୋଷଯାତ୍ରା ହେବା ପାଇଁ ସ୍ଥିର ହୋଇଛି। ନିଳାଦ୍ରୀ ଭକ୍ତ ନିବାସଠାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ଆସନ୍ତାମାସ ୭ ତାରିଖରେ ରଥଯାତ୍ରା ହେବ। ରାତି ୨ଟାରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତିକାନ୍ତି ହେବ। ସକାଳ ସାଢ଼େ ୭ଟାରୁ ଦିନ ସାଢ଼େ ୧୨ଟା ମଧ୍ୟରେ ସେନାପଟା ଲାଗି ହେବ। ଦିନ ୧୧ଟାରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ଦିନ ୧ଟାରେ, ୧ ଟା ୧୦ ମିନିଟ୍‌ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୪ଟାରେ ଗଜପତି ମହାରାଜା ତିନି ରଥରେ ଛେରାପହଁରା କରିବେ। ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏ ନେଇ ସୂଚନା ଦେଇଛନ୍ତି ।

ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଛତିଶା ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।