ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟରେ ଅଗ୍ରଗତି | News Room Odisha

ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟରେ ଅଗ୍ରଗତି

ପୁରୀ – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ମଙ୍ଗଳବାର ତିନି ରଥରେ ମୂଳ କଇଞ୍ଚି ପଡ଼ି ତିନି ରଥକୁ ବଡଧରା ପୋଟଳ ଉଠିଛି । ପୂର୍ବାହ୍ନରେ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହୋଯୋଗରେ ବଡଧରା ପୋଟଳ ତିନି ରଥର ତୃତୀୟ ଭୂଇଁ ଉପରେ ସେଟିଙ୍ଗ କରାଯାଇଛି।

ଏହି ପୋଟଳ ୧୩ ପରସ୍ତ ବିଶିଷ୍ଟ ହୋଇଥାଏ । ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ, ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶୀର୍ଷ ଭାଗ ଅଂଶ ପରି ଦୃଶ୍ୟମାନ ହୁଏ । ଏଥିସହ ଆଜି ତିନି ରଥର ପଛ ଆଣି ଢ଼ମକ ଚାରି ନାହାକାକୁ ଲାଗି ପଡ଼ି କଣ୍ଟା ବାଡିଆ ଶେଷ ହୋଇଛି। ଚାରି ନାହାକା ଉଭୟ ପଟରେ ମୂଳ କଇଞ୍ଚି ବାଡିଆ ମଧ୍ୟ ଶେଷ ହୋଇଛି।

ତିନି ରଥର ଚାରି ପାର୍ଶ୍ୱରେ ତାଗ ବାଡ଼ିଆ ବା ବଟନ ଆଡ଼ିଆ ଆରମ୍ଭ ହୋଇଛି । ତାଗ ବାଡିଆ ପରେ ରଥର ଚହରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଆରମ୍ଭ ହେବ। ତିନି ରଥର କନକମୁଣ୍ଡି ନିର୍ମାଣ ସହ ତାର ଚିର ପାର୍ଶ୍ୱରେ କାପ ବିନ୍ଧ ଶେଷ ହେବା ସହ, ତିନି ରଥର କଳସ ପିଣ୍ଡି ନିର୍ମାଣ ଜାରି ରହିଛି।

ତିନି ରଥର ବଡଧରା ପୋଟଳ ରଥରେ ସେଟିଂ ପରେ ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥର ଚାରିଗୋଟି ଲେଖାଏଁ ଧ୍ଵଜ ବତା ନିର୍ମାଣ ଶେଷ ହେବା ସହ ଦ୍ଵାରଗୁଡିକରେ ନାତଗୋଡ ସେଟିଂ ପାଇଁ ଆଠଟି ଲେଖାଏଁ ଗାରେଡ଼ି ନିର୍ମାଣ ଶେଷ ହୋଇଛି । ରୂପକାର ସେବକମାନେ ତିନିରଥର ଚରପରିଛାରେ ଚିତ୍ର ଖୋଦେଇ ଶେଷ କରିବା ସହ ନାଟ ଗୋଡ଼ ଗୁଡିକରେ ରୁପ ଖୋଦେଇ ଜାରି ରଖିଛନ୍ତି।
ଚିତ୍ରକାର ସେବକମାନେ ତିନି ରଥର ବାହ୍ୟ ଅଂଶରେ ଧଳା ପାଇମର ଦେବା ସହ ରଥ ପାର୍ଶ୍ଵ ଦେବ ଦେବୀ, ନର୍ତ୍ତକୀ, ଶିଖର ଡମ୍ବରୁ ଏବଂ ଠେ କେରା ବାଡ଼ରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।
ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥ କଇଞ୍ଚି କଣ୍ଟା ନିର୍ମାଣ ସହ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।