ପରମ୍ପରା ଅନୁଯାୟୀ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀଜୀଉ ଲାଗି ହୋଇଛନ୍ତି ଫୁଲୁରି ତେଲ। ଲୌକିକ ମତରେ ଜ୍ବରରେ ପୀଡିତ ମହାପ୍ରଭୁଙ୍କ ଶରୀରର ପୀଡା ଉପଶମ ପାଇଁ ଏହି ଫୁଲୁରି ତେଲ ଲାଗି କରାଯାଇଛି। ଏହାସହ ଦୀର୍ଘ ପାଞ୍ଚଦିନ ଧରି ତୈଳ ଧାରଣ ରୁ ନିବୃତ ଦଇତାପତି ସେବକମାନେ ମଧ୍ୟ ମହାପ୍ରଭୁ ଫୁଲୁରି ତେଲ ଲାଗି ହେବାପରେ ଦଇତା ଓ ପତି ମହାପାତ୍ର ମଧ୍ୟ ତେଲ ଲଗାଇ ପାରିବେ। ଅନ୍ୟଥା ମହାପ୍ରଭୁ ଜ୍ଵର ରେ ପୀଡ଼ିତ ହେବା ପରେ ସେମାନେ ମଧ୍ୟ ତେଲ ଲଗାଇନଥାନ୍ତି ।
ମହାପ୍ରଭୁଙ୍କୁ ଲାଗି ହେଉଥିବା ଦିବ୍ୟ ‘ଫୁଲୁରି ତେଲ’ ପୁରୀର ବଡ ଓଡିଆ ମଠରେ ପ୍ରସ୍ତୁତି କରାଯାଉଥିବା ବେଳେ ଏହାର ପ୍ରସ୍ତୁତି ଶୈଳୀ ସଂପୂର୍ଣ୍ଣ ଭିନ୍ନ । ଏହି ତୈଳ ପାଇଁ ତିନିଟି ତିନି ସେରିକିଆ ମାଟି ଘଡ଼ି ବ୍ୟବହାର ହୋଇଥାଏ । ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ କରଯାଇ ମାଟି ତଳେ ପୋତାଯାଏ । ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହି ମହୌଷଧୀକୁ ମାଟିରୁ ବାହାର କରାଯାଇଥାଏ । ପରେ କପଡ଼ାରେ ଛଣାଯାଇ ମାଟି ପାତ୍ରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଅଣସର ଘର ଦ୍ୱାର ଖୋଲାଯାଇ ଅଣସର ନୀତି ଆରମ୍ଭ ହୋଇଏ । ପତି ମହାପାତ୍ର ସେବକ ତିନୋଟି ରୁପା ପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି ।
ବଡ଼ ଓଡ଼ିଆ ମଠ ଏହି ତେଲ ପ୍ରସ୍ତୁତ କରୁଥିବା ବେଳେ କେବଳ ମଠର ମହନ୍ତ ଏହାର ପ୍ରସ୍ତୁତି ପ୍ରଣାଳୀ ଜାଣନ୍ତି। ବ୍ୟବହୃତ ଉପାଦାନ ଗୁଡିକ ଅଳ୍ପ ବହୁତ ସମସ୍ତେ ଜାଣିଥିଲେ ହେଁ ସମ୍ପୂର୍ଣ୍ଣ ତଥ୍ୟ ମହନ୍ତ ମହାରାଜ ଗୁପ୍ତ ରଖନ୍ତି।