ଆଷାଢ ମାସର କୃଷ୍ଣ ପକ୍ଷ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ଯୋଗିନୀ ଏକାଦଶୀ ବ୍ରତ କରିବାର ବିଧାନ ରହିଛି। ପରମେଶ୍ବର ଶ୍ରୀ ବିଷ୍ଣୁ ମାନବ କଲ୍ୟାଣ ପାଇଁ ନିଜର ଶରୀରରୁ ପୁରୁଷୋତ୍ତମ ମାସର ଏକାଦଶୀକୁ ମିଶାଇ ସମୁଦାୟ ୨୬ଟି ଏକାଦଶୀ ପ୍ରକଟ କରିଛନ୍ତି। କୃଷ୍ଣ ଓ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀର ନାମ ଏବଂ ତାର ଗୁଣ ଅନୁସାରେ ନାମକରଣ କରାଯାଇଥାଏ। ସମସ୍ତ ଏକାଦଶୀରେ ନାରାୟଣ ସମତୁଲ୍ୟ ଫଳ ପ୍ରଦାନ କରିଥାନ୍ତି। ଭଗବାନ ସମସ୍ତ ଭକ୍ତମାନଙ୍କର ମନସ୍କାମନା ପୂରଣ କରି ବିଷ୍ଣୁ ଲୋକରେ ପହଞ୍ଚାଇଥାନ୍ତି। ଏହି ସମସ୍ତ ଏକାଦଶୀ ମଧ୍ୟରେ ‘ଯୋଗିନୀ ଏକାଦଶୀ’ ସ୍ବତନ୍ତ୍ର। ଏହି ଏକାଦଶୀ ଦିନ ଉପବାସ କଲେ ଭଗବାନ ସମସ୍ତ ପ୍ରକାର ଅପଯଶ ଏବଂ ଚର୍ମ ରୋଗ ମୁକ୍ତି ମିଳିଥାଏ।
ଏହି ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହିତ ଅଶ୍ବସ୍ତ ବା ଓସ୍ତ ବୃକ୍ଷ ମଧ୍ୟ ପୂଜା କରାଯାଇଥାଏ। ଭକ୍ତମାନେ ଏହି ଦିନ ଉପବାସ କରିବା ସହ ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ଉଚ୍ଚାରଣ କରି ସ୍ନାନ କରାଇବା ଉଚିତ। ଏହା ବ୍ୟତୀତ ଭଗବାନଙ୍କୁ ଧୂପ-ଦୀପ, ବସ୍ତ୍ର, ଚନ୍ଦନ, ଅକ୍ଷତ, ନୈବେଦ୍ୟ ଆଦି ଅର୍ପଣ କରିବା ଉଚିତ। ପଦ୍ମ ପୁରାଣ ଅନୁଯାୟୀ ଯୋଗିନୀ ଏକାଦଶୀ ସମସ୍ତ ପାପକୁ ବିନାଶ କରିଥାଏ। ଏହା ଶରୀରର ସମସ୍ତ ବ୍ୟାଧିକୁ ନଷ୍ଟ କରିବା ସହ ସୁନ୍ଦର ରୂପ, ଗୁଣ ଏବଂ ଯଶ ଦେଇଥାଏ। ଏହି ବ୍ରତର ଫଳ ୮୮ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ସମାନ ହୋଇଥାଏ।
ଏହି ଏକାଦଶୀ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଗୋଟିଏ କଥା କହିଥିଲେ, ଅଲକାପୁରୀର ରାଜା କୁବେର ଏକ ଘଟଣାରେ ତାଙ୍କ ମାଳିକୁ ଅଭିଶାପ ଦେଇଥିଲେ । ଯେଉଁଥିରେ ମାଳି କୁଷ୍ଠ ରୋଗରେ ପୀଡ଼ିତ ହୋଇ ସେ ମାର୍କଣ୍ଡେୟ ଋଷିଙ୍କ ଆଶ୍ରମରେ ପହଞ୍ଚିଥିଲେ। ସେହି ସମୟରେ ଋଷି ତପସ୍ୟା ବଳରେ ତାଙ୍କ ଦୁଃଖ ଜାଣିପାରି ତାଙ୍କୁ ଯୋଗିନୀ ଏକାଦଶୀ ଉପବାସ କରିବା ପାଇଁ ଆଦେଶ ଦେଇଥିଲେ। ଋଷି କଥା ଅନୁଯାୟୀ ମାଳି ଏହି ବ୍ରତ ପାଳନ କରିବା ପରେ ଦିବ୍ୟ ଶରୀର ଧାରଣ କରି ସ୍ବର୍ଗ ଲୋକ ଚାଲି ଯାଇଥିଲେ।
ଖଳି ଲାଗି ଏକାଦଶୀ ଆଷାଢ଼ କୃଷ୍ଣ ଏକାଦଶୀ। ଶାସ୍ତ୍ରରେ ଏହି ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଇଛି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଏହି ଏକାଦଶୀକୁ ସ୍ଥାନୀୟ ଭାଷାରେ ଅଣସର ଏକାଦଶୀ ବା ଖଳି ଲାଗି ଏକାଦଶୀ କୁହାଯାଏ। ଏହିଦିନ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଦ୍ରବ୍ୟ ଲେପନ କରାଯାଏ। ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ, କୁଂକୁମ କୁ ମିଶ୍ରଣ କରି ଲାଗି କରାଯାଏ। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ପୂଜା ସମୟ ରେ ଘଣ୍ଟ ବାଜିବା ସହିତ ନୈବେଦ୍ୟ ରେ ତୁଳସୀ ପତ୍ର ପଡି ଭୋଗ ଲାଗି ହୋଇଥାଏ।
ରାତ୍ରରେ ମହାପ୍ରଭୁଙ୍କ ନୀତି ସମାପନ ପରେ ଶୁଦ୍ଧ ସୁଆର ଯୋଗାଇଥିବା ଖଳି ଶ୍ରୀଅଙ୍ଗରେ ଲାଗେ। ଗହମ ଗୁଣ୍ଡକୁ ଶୁକ୍ଳ ବସ୍ତ୍ରରେ ଛଣାଯାଇ ଖଳି ପ୍ରସ୍ତୁତ ହୋଇଥାଏ। ସେହିପରି ଶଙ୍ଖ କୁ ପୋଡି ତାର ଭସ୍ମ ରେ ଖଡ଼ି ପ୍ରସ୍ତୁତ କରି ଶ୍ରୀଅଙ୍ଗର ଶୋଭା ବର୍ଦ୍ଧନ ପାଇଁ ଲେପନ କରାଯାଏ। ଯାହାକୁ ଶ୍ରୀମନ୍ଦିର ଭାଷାରେ ଖାଳିଲାଗି କୁହାଯାଏ।