ରଥ ନିର୍ମାଣ କାର୍ଯ୍ୟ: ଚନ୍ଦ୍ର ଶାଳୀରେ ଲାଗିଲା ଧ୍ୱଜବତା | News Room Odisha

ରଥ ନିର୍ମାଣ କାର୍ଯ୍ୟ: ଚନ୍ଦ୍ର ଶାଳୀରେ ଲାଗିଲା ଧ୍ୱଜବତା

ପୁରୀ- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥ ନିର୍ମାଣର ୫୩ତମ ଦିନରେ ଚନ୍ଦ୍ର ଶାଳୀରେ ଧ୍ଵଜବତା ଲାଗିଛି।

ତିନି ରଥ ଦୁଆର ବେଢ଼ାକୁ ମଜବୁତ କରି ରଖିବା ପାଇଁ ଦୁଆର ବେଢ଼ା ଗୁଡ଼ିକର ଉପରଭାଗ ଚନ୍ଦ୍ର ଶାଳୀ ରେ ଧ୍ଵଜବତା ସଂଯୋଗ କରାଯାଇ ମଝି ଭୂଇଁ ଶେଣୀରେ କଣ୍ଟା ବସି ସେଟିଂ କରାଯାଇଛି। ଏଥିସହ ତିନି ରଥର ଦୁଆର ବେଢ଼ାକୁ ବାନ୍ଧି ରଖିବାପାଇଁ ପ୍ରତି ଦୁଆର ବେଢ଼ାର ନାଟ ଗୋଡ ସହ ଚଉଦ ନାହାକା ରେ ଦୁଇଟି ଲେଖାଏଁ ସପୋର୍ଟ ବଟନ୍ ବା ଦୁଆର ବାଣିଆ ପ୍ରତି ରଥ ରେ ୧୬ ଟି ଲେଖାଏଁ ଫିଟିଂ କରାଯାଇଛି।

ମହାରଣା ସେବକମାନେ ତିନି ରଥ ଭୋଇସେବକମାନଙ୍କ ସହଯୋଗ ରେ ତିନି ରଥର ପ୍ରତି କୋଣରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇବା ପରେ, ତିନି ରଥରେ ‘ହାତିଆଳ ମାଳ’ ବା କାଠ ବଟନ୍ ଆଠଟି ଲେଖାଏଁ ବଡଧରା ପୋଟଳ ଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଫିଟିଙ୍ଗ କରାଯିବା ସହ ତିନି ରଥର ଚାରି ପାର୍ଶ୍ୱରେ ଦୁଇଟି ଲେଖାଏଁ ମଣ୍ଡଣୀ ବତା ପଡ଼ି ବଡଧରା ପୋଟଳ ଠାରୁ ଚନ୍ଦ୍ର ଶାଳୀ ପର୍ଯ୍ୟନ୍ତ ଲାଗିଛି, ଫଳରେ ରଥରେ କନା ପଡ଼ିବା ସୁବିଧା ଜନକ ହେବାସହ, ରଥର କନା ଆବରଣ ଏକ ଗୋଲାକାର ଆକୃତି ବହନ କରି ରଥର ଗଠନ ଶୈଳୀ ସୁନ୍ଦର ଦେଖାଯିବା ସହ କନା ସୁରକ୍ଷିତ ରୁହେ।

ଏଥିସହ ତିନି ରଥର ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ରଥର କୋଣମାନଙ୍କରେ ପଟା ବାଡିଆ କାର୍ଯ୍ୟ ଶେଷ ହୋଇଛି।

ରୂପକାର ସେବକମାନେ ତିନି ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି।

ଦରଜୀ ସେବକମାନେ ତିନି ରଥର ପୋଟଳର କନା କାର୍ଯ୍ୟ ଶେଷ କରି ଚନ୍ଦ୍ର ଶାଳୀ, ଅଁଳା ଶ୍ରୀ ରେ ସିଲଭର ଜରୀ ଲେସ କାର୍ଯ୍ୟ ସହ ଚନ୍ଦ୍ର ଶାଳୀ ଏବଂ ଦୁଆର ବେଢ଼ାରେ ଲାଗିବା ପାଇଁ ଛୋଟ ପତାକା ତିଆରି କାର୍ଯ୍ୟ ଜାରିଆଖିଛନ୍ତି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଧ୍ଵଜ ବତା କଣ୍ଟା ଯୋଗାଇବା ସହ ତିନି ରଥ ପାଇଁ ପ୍ରଭା ବିଡିଆ କଣ୍ଟା, କପୁରି ପାଇଁ ବାଗିଆ କଣ୍ଟା, ଶୁଆ ଫିଟିଙ୍ଗ ପାଇଁ ନାରାଜ କଣ୍ଟା ଏବଂ କଳସ ପାଇଁ ଫାନ୍ଦ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ଚିତ୍ରକାର ସେବକମାନେ ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ସାରଥି, ଘୋଡ଼ା, କଳସ, ସାକ୍ଷୀ, ପାର୍ଶ୍ଵ ଦେବଦେବୀ ମୂର୍ତ୍ତି ଗୁଡିକରେ ଚିତ୍ର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।