୫୩ ବର୍ଷ ପରେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ବା ରଥଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ହୋଇଥିଲା। ଏହି ବର୍ଷ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଟାଣି ସିଂହଦ୍ବାର ଚକଡ଼ାକୁ ନିଆଯାଇଥିଲା। ଏହି କ୍ରମରେ ଚଳିତ ବର୍ଷ ମହାପ୍ରଭୁଙ୍କ ନବଯୌବନ ବେଶ ହେବ କିନ୍ତୁ ସାଧାରଣ ଭକ୍ତମାନେ ଏହି ଦୁର୍ଲଭ ଦର୍ଶନ ରୁ ବଞ୍ଚିତ ହେବେ।
ନବ ଯୌବନ ଦର୍ଶନ ହେଉଛି ଦେବସ୍ନାନ ପୂର୍ଣ୍ଣିମା ରାତ୍ରରୁ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ଅବସ୍ଥାନ କରିଥାନ୍ତି। ଅଣସର ତାଟି ସମ୍ମୁଖରେ ତିନୋଟି ପଟି ଚିତ୍ର ପ୍ରତିମା ରହିଥାଏ। ଏହି ପଟି ଠାକୁର ମଧ୍ୟରେ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅନ୍ତର୍ଭୁକ୍ତ। ପରମ୍ପରା ଅନୁଯାୟୀ ଏହି ପଟି ଦିଅଁ ଦଶାବତାର ଠାକୁର ରୂପେ ପରିଚିତ । ସୂଚନାଯୋଗ୍ୟ ଯେ, ବାସୁଦେବଙ୍କ ଚିତ୍ର ସମ୍ମୁଖରେ ଦୋଳଗୋବିନ୍ଦ, ରାମ ଓ ନୃସିଂହ ବିରାଜମାନ କରିଥିବା ବେଳେ ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ନାରାୟଣଙ୍କ ଚିତ୍ର ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। କୁହାଯାଏ ଯେ, ଏହି ସମୟରେ ଠାକୁରମାନେ ଜ୍ୱର ରୋଗରେ ପୀଡି଼ତ ହୋଇଥାନ୍ତି। ଶ୍ରୀମନ୍ଦିରର ବୈଦ୍ୟ ସେବମାନଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ପାଚକ (ମୋଦକ) ମହାପ୍ରଭୁଙ୍କୁ ଭୋଗ କରାଯିବା ପରେ ଜ୍ୱର ରୋଗ ଭଲ ହୋଇଥାଏ। ବାସ୍ତବିକ ଏହି ଅଣସର ସମୟ ରେ ପତି ମହାପାତ୍ର ଓ ଦଇତାପତି ସେବକମାନେ ଠାକୁରମାନଙ୍କର ଅତ୍ୟନ୍ତ ଗୋପନୀୟ ନୀତିରେ ଅଂଶଗ୍ରହଣ କରିଥାନ୍ତି। ଏହି ସମୟରେ ଅଣସର ପଣା, ଘଣାଲାଗି, ଖଳି ଲାଗି, ଚକା ଅପସର ଓ ଅନ୍ୟାନ୍ୟ ଗୁପ୍ତ ନୀତିମାନ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ପନ୍ଦର ଦିନର ଅନବସର ପରେ ନବଯୌବନ ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ମିଳିଥାଏ। ସେଦିନ ପ୍ରଭାତରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଇତ୍ୟାଦି ୮ ନୀତି ବଢ଼ିବା ପରେ ଦଶାବତାର ପଟି ଦିଅଁମାନଙ୍କର ବାହୁଡା ବିଜେ ହୋଇଥାଏ। ତତ୍ପରେ କୋଠ ସୁଆଁସିଆମାନେ ଅଣସର ଗୃହ ତାଟି ଖୋଲିଥାନ୍ତି। ଠାକୁରମାନେ ଚକା ଉପରେ ବିରାଜମାନ କରିଥିବା ସମ୍ମୁଖସ୍ଥାନ ପାଣିରେ ଭଲ ଭାବରେ ଧୁଆଯିବା ପରେ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥାଏ। ପରଦିନ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଏ। କିନ୍ତୁ ଏହି ବର୍ଷ ଏ ସମସ୍ତ ନୀତି ଗୋଟିଏ ଦିନରେ ସମ୍ପର୍ଣ୍ଣ ହୋଇ ରଥଯାତ୍ରା ଅନୁଷ୍ଠିତ ହେବ।