ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ସମସ୍ତ ଏକାଦଶୀ ଠାରୁ ସ୍ୱତନ୍ତ୍ର। ଏହାର ନାମ କାମିକା ଏକାଦଶୀ। ଏହି ଏକାଦଶୀର ନାମ ସ୍ମରଣ ମାତ୍ରକେ ବାଜପେୟ ଯଜ୍ଞର ଫଳ ମିଳିଥାଏ। ଦେବର୍ଷି ନାରଦଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱୟଂ ପ୍ରଜାପିତା ବ୍ରହ୍ମା ଏହା କହିଥିଲେ। ଏହିଦିନ ଶ୍ରୀଧର, ହରି, ବିଷ୍ଣୁ, ମାଧବ ଓ ମଧୁସୂଦନ ଆଦି ନାମରେ ଶଙ୍ଖଚକ୍ରଧାରୀ ଶ୍ରୀବିଷ୍ଣୁଙ୍କୁ ପୂଜା କରାଯାଏ। ଏହି ପୂଜାର ଯେଉଁ ଫଳ ମିଳେ, ତାହା ଗଙ୍ଗା, କାଶୀ, ନୈମିଷ୍ୟାରଣ୍ୟ ବା ପୁଷ୍କର କ୍ଷେତ୍ରରେ ତପ କଲେ ମିଳି ନଥାଏ। ଏହିଦିନ ମଧୁସୂଦନ ଶ୍ରୀହରିଙ୍କୁ ପୂଜା କଲେ ଯେଉଁ ଫଳ ମିଳିଥାଏ, ତାହା ସମୁଦ୍ର ଓ ବନଭୂମି ସହିତ ସମଗ୍ର ପୃଥିବୀକୁ ଦାନ କରିବାର ପୁଣ୍ୟଫଳ ସହିତ ସମାନ। ଏହିଦିନ ବ୍ରତ ରଖି ଭଗବାନ ଶ୍ରୀଧରଙ୍କୁ ସ୍ତବ କଲେ ତାଙ୍କ ସହିତ ଗନ୍ଧର୍ବ ଓ ନାଗଙ୍କ ସମେତ ସମସ୍ତ ଦେବତାଙ୍କର ପୂଜା ହୋଇଥାଏ। ଭଗବାନ ଶ୍ରୀବିଷ୍ଣୁଙ୍କ ର ତୁଳସୀ ଦଳ ଅତ୍ୟନ୍ତ ପ୍ରିୟ। କିନ୍ତୁ ଏହିଦିନ, ସମଗ୍ର ରାତି ଉଜାଗର ରହି ଶ୍ରୀବିଷ୍ଣୁଙ୍କୁ ଦୀପଦାନ ସହିତ ତୁଳସୀ ମଞ୍ଜରୀ ଅର୍ପଣ କଲେ ଶ୍ରୀହରି ମନୁଷ୍ୟକୁ ସମସ୍ତ ପାପରୁ ମୁକ୍ତ କରିଥାନ୍ତି।
ଏ ସଂପର୍କରେ ଏକ କାହାଣୀ ପ୍ରଚଳିତ। ଗୋଟିଏ ଗ୍ରାମରେ ଜଣେ ଶ୍ରେଷ୍ଠୀ ଓ ଜଣେ ବ୍ରାହ୍ମଣ ପଡ଼ୋଶୀ ଭାବରେ ରହୁଥିଲେ। କିନ୍ତୁ ଦୁଇଜଣଙ୍କ ଭିତରେ ଆଦୌ ସୁସଂପର୍କ ନଥିଲା। କୌଣସି ନା କୌଣସି କାରଣକୁ ନେଇ ପ୍ରତ୍ୟହ ସେମାନେ ପରସ୍ପର ସହିତ କଳହ କରୁଥିଲେ।ଏକଦା ଏହି କଳହ ଏତେ ଭୟଙ୍କ ର ହେଲା ଯେ ଶ୍ରେଷ୍ଠୀଜଣକ ଉତ୍କ୍ଷିପ୍ତ ହୋଇ ବ୍ରାହ୍ମଣଙ୍କୁ ହତ୍ୟା କରିଦେଲେ। ବ୍ରାହ୍ମଣଙ୍କୁ ମାରି ସାରିବା ପରେ କିନ୍ତୁ ଶ୍ରେଷ୍ଠୀଙ୍କ ମନରେ ଅନୁତାପ ଜାତହେଲା। ପ୍ରାୟଶ୍ଚିତ କରିବା ନିମିତ୍ତ ଅନ୍ୟ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ସେ ବ୍ରାହ୍ମଣଙ୍କ କ୍ରିୟାକର୍ମ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ବ୍ରାହ୍ମଣ-ମୃତ୍ୟୁରେ କ୍ରୋଧିତ ହୋଇ କୌଣସି ବ୍ରାହ୍ମଣ ଶ୍ରେଷ୍ଠୀଙ୍କର ନିମନ୍ତ୍ରଣ ସ୍ୱୀକାର କଲେ ନାହିଁ। ଶ୍ରେଷ୍ଠୀ ଏଥିରେ ଆହୁରି ଦୁଃଖିତ ହୋଇ, ପାପର ପ୍ରାୟଶ୍ଚିତ କରିବାପାଇଁ ଚତୁର୍ଦ୍ଦିଗ ଭ୍ରମଣ କଲେ।
ଏହି ସମୟରେ ସେ ଜଣେ ମୁନିଙ୍କୁ ଭେଟି ତାଙ୍କୁ ନିଜ ପାପକର୍ମ ସଂପର୍କରେ କହି ପ୍ରାୟଶ୍ଚିତ କରିବାର ଉପାୟ ବତାଇବାକୁ ଅନୁରୋଧ କଲେ। ଋଷି ତାଙ୍କୁ ‘କାମିକା ଏକାଦଶୀ’ ବ୍ରତପାଳନ କରିବାକୁ ନିର୍ଦ୍ଦେଶ ଦେଲେ। ଶ୍ରେଷ୍ଠୀ ନିଷ୍ଠାର ସହିତ ଏହି ବ୍ରତ ପାଳନ କରିବାରୁ ପାପମୁକ୍ତ ହୋଇ ସ୍ୱର୍ଗଲୋକ ଗମନ କଲେ। ତେଣୁ କୁହାଯାଇଛି, ଏହି ବ୍ରତ କଲେ ନରହତ୍ୟା ପରି ଭୟଙ୍କର ପାପରୁ ମଧ୍ୟ ମୁକ୍ତି ମିଳେ। ତା’ ସହିତ ଏତେ ଅଧିକ ପୁଣ୍ୟ ହୁଏ ଯେ ତାର ସଂଖ୍ୟା ଚିତ୍ରଗୁପ୍ତ ମଧ୍ୟ ଗଣିପାରନ୍ତି ନାହିଁ।