ଖଲ୍ଲିକୋଟ: ଟ୍ରକ୍ ଚାପାରେ ୩ ମୃତ | News Room Odisha

ଖଲ୍ଲିକୋଟ: ଟ୍ରକ୍ ଚାପାରେ ୩ ମୃତ

ଛତ୍ରପୁର: ଶ୍ରାବଣ ସୋମବାର ପାଇଁ ଜଳଲାଗି ଯାତ୍ରା ବେଳେ ଅଘଟଣ ଘଟିଛି। ଦୁଇ ଜଣ କାଉଡ଼ିଆଙ୍କ ସମେତ ଜଣେ ବୃଦ୍ଧ ଟ୍ରକ୍ ଚାପାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଡିମିରିଆ ଛକ ରାଜପଥ- ୧୬ରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଯାଉଥିବା ଏକ ଦ୍ରୁତଗାମୀ ମାଛ ବୋଝେଇ ଟ୍ରକ୍ (ଏପି୩୯ୟୁ- ୧୯୪୯) ରାଜପଥ କଡ଼ରେ ଚାଲି ଚାଲି ଯାଉଥିବା ଦୁଇ କାଉଡ଼ିଆଙ୍କ ସହ ସେହି ନିକଟରେ ଠିଆ ହୋଇଥିବା ବୃଦ୍ଧଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକଟି ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ମୃତ କାଉଡ଼ିଆ ଦୁଇ ଜଣ ବାଣପୁର ଭଗବତୀ ମନ୍ଦିର ନିକଟ ହରିଜନ ସାହିର ପପୁ ନାହାକ, ରଞ୍ଜିତ ନାହାକ ଓ ବୃଦ୍ଧଜଣକ ନିକଟସ୍ଥ ଦଲିବାଟି ଗାଁର ଏ.ବନମାଳୀ ପାତ୍ର ବୋଲି ଜଣାପଡିଛି। ସେମାନେ ଗଞ୍ଜାମ ସହର ନିକଟ ଋଷିକୁଲ୍ୟା ନଦୀରୁ ଜଳ ଧରି ବାଲୁଗାଁ ଅଭିମୁଖେ ଯାତ୍ରା କରୁଥିଲେ। ଖଲ୍ଲିକୋଟ ଥାନା ପୋଲିସ ଦୁର୍ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି।