ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା: ମଣିଷ-ପ୍ରାଣୀ ସଂଘର୍ଷକୁ କମାଇବା ଉପରେ ଗୁରୁତ୍ବ ପ୍ରଦାନ | News Room Odisha

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା: ମଣିଷ-ପ୍ରାଣୀ ସଂଘର୍ଷକୁ କମାଇବା ଉପରେ ଗୁରୁତ୍ବ ପ୍ରଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ।

ସମୀକ୍ଷାରେ ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟା ବନ୍ଦ କରିବା ପାଇଁ ଏବଂ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି।

୨୦୧୯-୨୦ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ କାରଣ ଯୋଗୁ ୪୪୪ଟି ହାତୀ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ୭୨୯ ଜଣ ବ୍ୟକ୍ତି ମଧ୍ୟ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏଥିରେ ଉଦ୍‌ବେଗ ପ୍ରକାଶ କରି ମଣିଷ-ପ୍ରାଣୀ ସଂଘର୍ଷ କମାଇବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଥିଲେ ।

ନିଜ ଜୀବନ ପ୍ରତି ଥିବା ଭୟକୁ ଭ୍ରୁକ୍ଷେପ ନ କରି ଜଙ୍ଗଲ ଓ ବନାଖଣ୍ଡର ସୁରକ୍ଷା କାମରେ ନିୟୋଜିତ ବନ କର୍ମଚାରୀ ମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ, ସେମାନଙ୍କ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହାସହିତ ବନୀକରଣ କାର୍ଯ୍ୟକ୍ରମରେ ଗଛ ଗୁଡିକ ଯେପରି ବଞ୍ଚି ରହିବ, ସେଥିପାଇଁ ନିୟମିତ ଭାବରେ ନିରୀକ୍ଷଣ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।

ବିଭାଗରେ ଖାଲି ଥିବା ପଦବୀ ସଂପର୍କରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ୧୬୭୭ଟି ବନରକ୍ଷୀ ଓ ୩୧୬ଟି ବନପାଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଏହି ପଦବୀ ଗୁଡିକ ପୂରଣ କରାଯିବ। ବାକିଥିବା ପଦବୀ ଗୁଡିକ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ଏକ ପେଡ୍‌ ମା କେ ନାମ୍’ ଅଭିଯାନରେ ବର୍ତ୍ତମାନ ସୁଦ୍ଧା “ମେରି ଲାଇଫ ପୋର୍ଟାଲ”ରେ ପଞ୍ଜିକୃତ ହୋଇଥିବା ଚାରା ସଂଖ୍ୟା ୩ କୋଟି ୧୩ ଲକ୍ଷରେ ପହଞ୍ଚିଛି । ଏ ବର୍ଷ ଶେଷ ସୁଦ୍ଧା ସାଢେ ଚାରି କୋଟି ଚାରା ଲଗାଯାଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ ବୋଲି ବୈଠକରେ ପ୍ରକାଶ କରାଯାଇଥିଲା ।

ବୈଠକରେ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ବଜ୍ରପାତକୁ ରୋକିବା ପାଇଁ ୧୯ ଲକ୍ଷ ତାଳ ଗଛ ଜଙ୍ଗଲ ପରିସୀମା ଅଞ୍ଚଳରେ ରୋପଣ କରାଯାଉଛି । ସେହିପରି ପ୍ଲାଷ୍ଟିକମୁକ୍ତ ବନୀକରଣ, ବନାଗ୍ନି ନିର୍ବାପନ ଏବଂ ଅନ୍ୟାନ୍ୟ ବିଭାନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା ।

ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଏବଂ ପିସିସିଏଫ (ୱାଇଲ୍‌ଡ ଲାଇଫ) ସୁଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।