ବରିଷ୍ଠ ସାମ୍ବାଦିକ ରବି ରଥଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ | News Room Odisha

ବରିଷ୍ଠ ସାମ୍ବାଦିକ ରବି ରଥଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ

ଭୁବନେଶ୍ବର: ଉତ୍କଳ ସାହିତ୍ୟ ସମାଜର ୧୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଓ ସାରସ୍ବତ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସମ୍ପାଦକ ରବି ରଥଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନରେ ସମ୍ମାନିତ କରାଯାଇଛି ।

୧୯୮୨ ମସିହାରେ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରି ରବି ରଥ ରାଜ୍ୟ ଓ ଜାତୀୟ ସ୍ତରରେ ସାମ୍ବାଦିକତାରେ ରାଜ୍ୟ ପାଇଁ ସୂନାମ ଅର୍ଜନ କରିପାରିଛନ୍ତି । କେନ୍ଦ୍ରିୟ ପ୍ରେସ ଆକ୍ରିଡିଟେସନ କମିଟିର ସଦସ୍ୟ, ଜାତୀୟ ସାମ୍ବାଦିକ ୟୁନିଅନ (ଏନ.ୟୁ.ଜେ.) ର ଉପ ସଭାପତି ଓ ସମ୍ପାଦକ, ଓଡ଼ିଶା ସାମ୍ବାଦିକ ୟୁନିଅନ (ଓ.ୟୁ.ଜେ.) ର ସଭାପତି, ଇଂଡିଆନ୍ ମିଡିଆ ସେଣ୍ଟର ର ଓଡ଼ିଶା ରାଜ୍ୟ ଆବାହକ, ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଓଡ଼ିଶା ରାଜ୍ୟ ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବରେ ସେ ରହି ଆସିଛନ୍ତି । ଓଡ଼ିଶାର ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ନବୀନ’ର ସମ୍ପାଦକ ଭାବେ ସେ ବର୍ତ୍ତମାନ କାର୍ଯ୍ୟରତ ।

ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତି ନ୍ୟାୟମୁର୍ତ୍ତି ଚିତ୍ତରଞ୍ଜନ ଦାଶ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଶିଷ୍ଟ ସାରସ୍ବତ ସାଧକ ଓ ଭାଷାବିତ୍ ପଦ୍ମଶ୍ରୀ ଦେବିପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଏହି କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ ।

ଏହି ଅବସରରେ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଉତ୍କଳରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତିତ କଳା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୬ ପ୍ରତିଭାଶାଳୀ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।